ସୋନପୁର ପୌରପାଳିକାର ଅବହେଳା! ସାମାନ୍ୟ ବର୍ଷାରେ ଘରେ ପଶୁଛି ନାଳ ପାଣି
ସୁବର୍ଣ୍ଣପୁର (ସୋନପୁର) ସହରରେ ବର୍ଷା ଋତୁ ଆରମ୍ଭ ହେବା ସହିତ ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥାର ଦୁରବସ୍ଥା ପୁଣି ଥରେ ପଦାକୁ ଆସିଛି। ସହରର ଘୋଡାଘାଟ ପଡ଼ା, ମଝି ପଡ଼ା, ବଡ଼ବଜାର ସମେତ ବିଭିନ୍ନ ଅଞ୍ଚଳରେ ଅଧିକାଂଶ ନାଳ ମାଟି, ପଥର ଓ ଆବର୍ଜନାରେ ପୋତି ହୋଇ ରହିଛି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ନିଷ୍କାସନ ହୋଇପାରୁ ନାହିଁ ଏବଂ ନାଳ ପାଣି ଲୋକଙ୍କ ଘର ଭିତରକୁ ପଶୁଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ନାଳ ସଫେଇ କାର୍ଯ୍ୟ ହୋଇନଥିବାରୁ ଏହି ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷା ପାଣି ଓ ନାଳ ପାଣି ଏକାଠି ହୋଇ ରାସ୍ତା ଓ ଘର ଭିତରେ ଜମି ରହୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିବା ବେଳେ ଦୁର୍ଗନ୍ଧ ମଧ୍ୟ ପରିବେଶକୁ ପ୍ରଭାବିତ କରୁଛି।
ଅନ୍ୟପକ୍ଷରେ ନାଳରେ ପାଣି ଜମି ରହୁଥିବାରୁ ମଶା ବଂଶବୃଦ୍ଧି ମଧ୍ୟ ବଢ଼ିଚାଲିଛି। ଏହା ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ଆଶଙ୍କାକୁ ବଢ଼ାଇ ଦେଇଛି। ସ୍ଥାନୀୟ ଲୋକମାନେ ତୁରନ୍ତ ନାଳ ସଫେଇ, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ମଶା ନିୟନ୍ତ୍ରଣ ପାଇଁ ପୌରପାଳିକା ପକ୍ଷରୁ ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

