କତାରର ରାସ୍ ଲାଫାନ୍ ଗ୍ୟାସ୍ ହବ୍ରେ ଭୟଙ୍କର ବିସ୍ଫୋରଣ; ୫୪ ଆହତ, ୧୮ ନିଖୋଜ
କତାରର ପ୍ରମୁଖ ଏଲ୍ଏନ୍ଜି (LNG) ପ୍ରକ୍ରିୟାକରଣ କେନ୍ଦ୍ର ରାସ୍ ଲାଫାନ୍ ଇଣ୍ଡଷ୍ଟ୍ରିଆଲ୍ ସିଟିରେ ରବିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। କତାର ଗୃହ ମନ୍ତ୍ରଣାଳୟ ଅନୁସାରେ, ଏହି ଘଟଣାରେ ୫୪ ଜଣ ଆହତ ହୋଇଥିବାବେଳେ ୧୮ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛନ୍ତି।
କତାର ଏନର୍ଜି ପକ୍ଷରୁ କୁହାଯାଇଛି ଯେ, ରାସ୍ ଲାଫାନ୍ର ବାରଜାନ୍ ଗ୍ୟାସ୍ ସପ୍ଲାଏ ଫ୍ୟାସିଲିଟିରେ ଅପରେସନ୍ ଆରମ୍ଭ ସମୟରେ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାସ୍ଥଳକୁ ତୁରନ୍ତ ଜରୁରୀକାଳୀନ ଟିମ୍ ପଠାଯାଇଥିଲା ଏବଂ କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଏକ ଯାନ୍ତ୍ରିକ ତ୍ରୁଟି ବିସ୍ଫୋରଣର କାରଣ ବୋଲି ସୂଚନା ମିଳିଛି।
ପ୍ରଥମେ କେବଳ କିଛି ଲୋକ ଆହତ ହୋଇଥିବା କୁହାଯାଇଥିଲେ ମଧ୍ୟ ପରେ ଗୃହ ମନ୍ତ୍ରଣାଳୟ ଆହତଙ୍କ ସଂଖ୍ୟା ୫୪ ବୋଲି ସ୍ପଷ୍ଟ କରିଛି। ବିସ୍ଫୋରଣ ଯୋଗୁ କେତେ କ୍ଷତି ହୋଇଛି ସେନେଇ ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିନାହିଁ। ଘଟଣାକୁ ନେଇ କତାର କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଥିବାବେଳେ ବିଶ୍ୱର ଅନ୍ୟତମ ବୃହତ LNG କେନ୍ଦ୍ରରେ ଘଟିଥିବା ଏହି ଦୁର୍ଘଟଣା ଆନ୍ତର୍ଜାତିକ ଉର୍ଜା ବଜାରର ଦୃଷ୍ଟି ଆକର୍ଷଣ କରିଛି।

