ରାମ ମନ୍ଦିର ଦାନ ବିବାଦ: ‘୨୦୦ କିଲୋ ରୁପାର ହିସାବ କେଉଁଠି?’ ସିନ୍ଧୀ ସମାଜର ପ୍ରଶ୍ନ
ଅଯୋଧ୍ୟା ରାମ ମନ୍ଦିରର ଦାନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିନ୍ଧୀ ସମାଜ ପକ୍ଷରୁ ଏକ ବଡ଼ ଦାବି କରାଯାଇଛି। ବିଶ୍ୱ ସିନ୍ଧୀ ସେବା ସଙ୍ଗମର ଆନ୍ତର୍ଜାତୀୟ ସଭାପତି ଡ଼. ରାଜୁ ମନୱାନୀ କହିଛନ୍ତି ଯେ, ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ସେମାନେ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରାୟ ୧.୫ କୋଟି ଟଙ୍କା ମୂଲ୍ୟର ୨୦୦ କିଲୋ ରୁପା ଦାନ କରିଥିଲେ। ଏହି ରୁପା ୧-୧ କିଲୋର ୨୦୦ଟି ଇଟ୍ ଆକାରରେ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ଦାନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ରସିଦ ମିଳିନଥିବା ଏବଂ ରୁପା କେଉଁ କାମରେ ବ୍ୟବହୃତ ହେଲା ତାହା ମଧ୍ୟ ଜଣାଯାଇନଥିବା ଅଭିଯୋଗ କରିଛନ୍ତି ସେ।
ଡ଼. ମନୱାନୀ କହିଛନ୍ତି ଯେ, ଏହି ଦାନ ସଂଗ୍ରହ ପାଇଁ ଭାରତ ସହ ବିଦେଶରେ ଥିବା ସିନ୍ଧୀ ସମୁଦାୟର ଲୋକମାନଙ୍କୁ ନେଇ ଏକ ଅଭିଯାନ ଚାଲାଯାଇଥିଲା। ଦାନଦାତାମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାମ ମନ୍ଦିର ନିର୍ମାଣରେ ସହଯୋଗ କରିବା। କିନ୍ତୁ ବର୍ତ୍ତମାନ ଦାନରେ ଅନିୟମିତତା ଓ ହେରଫେର ଅଭିଯୋଗ ସାମ୍ନାକୁ ଆସିବା ପରେ ଦାନଦାତାମାନେ ଚିନ୍ତା ପ୍ରକାଶ କରୁଛନ୍ତି। ସେ କହିଛନ୍ତି, “ଆମେ ରସିଦ ପାଇଁ ନୁହେଁ, କେବଳ ଜାଣିବାକୁ ଚାହୁଁଛୁ ଯେ ଆମର ଦାନ କେଉଁଠି ଏବଂ କିପରି ବ୍ୟବହୃତ ହେଲା। ଏବେ ଦାନ ଦେଇଥିବା ଅନେକ ଲୋକ ଆମକୁ ଫୋନ୍ କରି ପ୍ରଶ୍ନ କରୁଛନ୍ତି।”
ରାମ ମନ୍ଦିର ଦାନ ହେରଫେର ଅଭିଯୋଗର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଏକ ବିଶେଷ ତଦନ୍ତ ଦଳ (SIT) ଗଠନ କରିଛନ୍ତି। ଡ଼. ମନୱାନୀ କହିଛନ୍ତି ଯେ, ସେମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଭରସା ରହିଛି ଏବଂ ତଦନ୍ତରୁ ସତ୍ୟ ସାମ୍ନାକୁ ଆସିବ। ସେ କହିଛନ୍ତି, ଏହି ବିବାଦ ପରେ ମନ୍ଦିରକୁ ମିଳୁଥିବା ଦାନରେ ହ୍ରାସ ଦେଖାଦେଇଛି ଏବଂ ଆଗାମୀ ଦିନରେ ଦାନଦାତାମାନେ ଅଧିକ ସ୍ୱଚ୍ଛତା ଓ ଜବାବଦେହିତା ଆଶା କରିବେ।

