Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା,ଟ୍ରେନ୍ ଲାଇନ୍‌ରୁ ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଝାରସୁଗୁଡ଼ା, ୨୪/୬ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ଆଇନଜୀବୀ, ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତଥା ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଘନିଷ୍ଠ ଅନୁଗତ ତ୍ରିନାଥ ଗୁଆଲଙ୍କ ମୃତ୍ୟୁ ଖବରରେ ଝାରସୁଗୁଡ଼ା ଜିଲ୍ଲା ସ୍ତବ୍ଧ ହୋଇପଡ଼ିଛି। ମଙ୍ଗଳବାର ସକାଳେ ଝାରସୁଗୁଡ଼ା ବାଲିଯୁରି ରେଳ ଲାଇନ୍ ନିକଟରୁ ତାଙ୍କ ମୃତଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଛି। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ଘଟଣା ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇ ନାହିଁ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ବାଲିଯୁରି ରେଳ ଲାଇନ୍ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ତଦନ୍ତ ପରେ ମୃତକଙ୍କ ପରିଚୟ ତ୍ରିନାଥ ଗୁଆଲ ବୋଲି ଜଣା ପଡ଼ିଥିଲା। ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତ୍ରିନାଥ ଗୁଆଲ କେବଳ ଜଣେ ସଫଳ ଆଇନଜୀବୀ ନୁହେଁ, ବରଂ ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଜନକଲ୍ୟାଣ ମୂଳକ ସଂଗଠନ ସହ ଜଡ଼ିତ ଥିବା ଜଣେ ସକ୍ରିୟ ବ୍ୟକ୍ତିତ୍ୱ ଥିଲେ। ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ଓ ସାମାଜିକ କାର୍ଯ୍ୟ ପାଇଁ ସେ ବିଭିନ୍ନ ମହଳରେ ସମ୍ମାନିତ ଥିଲେ। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଆଇନଜୀବୀ ମହଳ, ରାଜନୈତିକ ବର୍ଗ ଓ ସାମାଜିକ ସଂଗଠନ ତଥା ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ ଏହାକୁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories