ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଅଫର୍? ଦିଲ୍ଲୀରେ ବଢ଼ିଲା ରାଜନୈତିକ ଚର୍ଚ୍ଚା
ପଞ୍ଜାବ ଗସ୍ତ ମଧ୍ୟରେ ହଠାତ୍ ଦିଲ୍ଲୀ ଫେରିଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଯାତ୍ରାକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ସହ ରାଘବ ଚଢା, ଭାଜପା ମହାସଚିବ ତରୁଣ ଚୁଘ ଏବଂ ରାଜ୍ୟସଭା ସାଂସଦ ବିକ୍ରମଜିତ ସିଂହ ସାହନୀ ମଧ୍ୟ ଦିଲ୍ଲୀ ଫେରିଥିବାରୁ ବିଭିନ୍ନ ଅଟକଳନା ଜୋର ଧରିଛି। ଚଣ୍ଡୀଗଡ଼ରେ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ଏବଂ ପଞ୍ଜାବ ଭାଜପା ନେତୃତ୍ୱଙ୍କ ସହ ବୈଠକ ପରେ ଏହି ହଠାତ୍ ଫେରାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସମ୍ଭାବ୍ୟ ଅଦଳବଦଳ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଘବ ଚଢାଙ୍କୁ ନେଇ ନୂଆ ଅଟକଳନା ସାମ୍ନାକୁ ଆସିଛି। ରାଜନୈତିକ ସୂତ୍ର ଅନୁସାରେ, ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ। କେନ୍ଦ୍ରୀୟ କ୍ୟାବିନେଟରେ ସ୍ଥାନ କିମ୍ବା ସଂଗଠନରେ ବଡ଼ ଭୂମିକା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପୁଷ୍ଟି ମିଳିନାହିଁ। ତେବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକ ପରେ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ଆଲୋଚନା ହେଉଛି।
ଏପଟେ ଭାଜପା ସଂଗଠନରେ ମଧ୍ୟ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ନିକଟରେ ଦଳ ପଞ୍ଜାବ, ହରିୟାଣା, ତ୍ରିପୁରା ଏବଂ ଦିଲ୍ଲୀରେ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ନୂଆ ଟିମ୍ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ରାଘବ ଚଢାଙ୍କ ନାମକୁ ନେଇ ହେଉଥିବା ଚର୍ଚ୍ଚା ଦିଲ୍ଲୀ ଓ ପଞ୍ଜାବ ରାଜନୀତିରେ ଉତ୍ସୁକତା ବଢ଼ାଇଛି। ତେବେ ଆଧିକାରିକ ଘୋଷଣା ନହେଉଅ ପର୍ଯ୍ୟନ୍ତ ଏସବୁକୁ କେବଳ ରାଜନୈତିକ ଅଟକଳନା ଭାବେ ଦେଖାଯାଉଛି।

