ପ୍ରେମିକ ସହ ମିଶି ମଙ୍ଗେତରଙ୍କୁ ଖାଇକୁ ଠେଲିଦେଲେ! ୧୭ କୋଟିର ବିବାହ ପ୍ରସ୍ତୁତି ମଝିରେ ଚାଞ୍ଚଲ୍ୟକର ହତ୍ୟା ଅଭିଯୋଗ
ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଲୋହାଗଡ଼ ଦୁର୍ଗରେ ଘଟିଥିବା ଏକ ମୃତ୍ୟୁ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲେ ମଧ୍ୟ ପୋଲିସ ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇପାରେ ବୋଲି ସନ୍ଦେହ ଜୋରଦାର ହୋଇଛି। ନିର୍ମାଣ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ତାଙ୍କ ମଙ୍ଗେତର ସିୟା ଗୋୟଲଙ୍କ ଜନ୍ମଦିନ ପାଳନ ପାଇଁ ଟ୍ରେକିଂକୁ ଯାଇଥିଲେ। ସେଠାରେ ଫଟୋ ଉଠାଉଥିବା ବେଳେ ସେ ଖାଇକୁ ଖସି ପଡ଼ିଥିବା ନେଇ ସିୟା ପୋଲିସକୁ କହିଥିଲେ।
କିନ୍ତୁ ମୋବାଇଲ ଡାଟା, କଲ୍ ରେକର୍ଡ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯାଞ୍ଚ ପରେ ପୋଲିସଙ୍କ ସନ୍ଦେହ ବଢ଼ିଥିଲା। ତଦନ୍ତରେ ଜଣାପଡ଼ିଛି ଯେ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ମିଶି କେତନଙ୍କୁ ଖାଇକୁ ଠେଲିଦେଇଥିବା ଅଭିଯୋଗ ରହିଛି। ଉଭୟଙ୍କୁ ଗିରଫ କରାଯାଇ ସାତ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ପୋଲିସ କହିଛି ଯେ ସିୟା ଚେତନଙ୍କୁ ଭଲ ପାଉଥିଲେ ଏବଂ କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ତେଣୁ ସେମାନେ ମିଶି ଏହି ଷଡ଼ଯନ୍ତ୍ର ରଚିଥିବା ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି।
ଆସନ୍ତା ନଭେମ୍ବରରେ ଏହି ଦୁହିଁଙ୍କ ବିବାହ ହେବାର ଥିଲା। ବିବାହ ପାଇଁ ରାଜସ୍ଥାନର ଏକ ରାଜପ୍ରାସାଦ ୧୭ କୋଟି ଟଙ୍କାରେ ବୁକ୍ କରାଯାଇଥିବା ବେଳେ ଅତିଥିମାନଙ୍କ ପାଇଁ ଦୁଇଟି ପ୍ରାଇଭେଟ୍ ବିମାନର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏପରି ଭବ୍ୟ ବିବାହ ପ୍ରସ୍ତୁତି ମଝିରେ କେତନଙ୍କ ମୃତ୍ୟୁ ଦୁଇ ପରିବାରକୁ ସ୍ତବ୍ଧ କରିଦେଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଥିଲେ କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

