ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ? ବିଦେଶ ମନ୍ତ୍ରଣାଳୟର ମନ୍ତବ୍ୟକୁ ନେଇ ଜାଭେଦ ଅଖତରଙ୍କ କଟାକ୍ଷ
ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ, ବରଂ ଏହା କେବଳ ଏକ ଭ୍ରମଣ ଦଲିଲ ବୋଲି ବିଦେଶ ମନ୍ତ୍ରଣାଳୟ (MEA) କହିବା ପରେ ପ୍ରଖ୍ୟାତ ଗୀତିକାର ଓ ଲେଖକ ଜାଭେଦ ଅଖତର ଏହାକୁ ନେଇ କଟାକ୍ଷ କରିଛନ୍ତି। ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ସେ ପ୍ରଶ୍ନ କରିଛନ୍ତି, “ଯଦି ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ, ତେବେ ସରକାର କି ଭାରତୀୟ ନାଗରିକ ବୋଲି ନିଶ୍ଚିତ ନହୋଇ ଲୋକଙ୍କୁ ପାସପୋର୍ଟ ଦେଉଛନ୍ତି? ଏହା ସମ୍ପୂର୍ଣ୍ଣ ଅଯୁକ୍ତିକ।”
ବିଦେଶ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ପାସପୋର୍ଟ ହେଉଛି ଏକ ଭ୍ରମଣ ଦଲିଲ, ଯାହା ବିଦେଶରେ ଜଣେ ବ୍ୟକ୍ତିଙ୍କ ଭାରତୀୟ ଜାତୀୟତାକୁ ପ୍ରମାଣିତ କରେ। ଏହା ନାଗରିକତାର ସ୍ୱତନ୍ତ୍ର ପ୍ରମାଣପତ୍ର ନୁହେଁ। ଅଧିକାରୀମାନଙ୍କ କହିବା ଅନୁଯାୟୀ, ପାସପୋର୍ଟ ଜାରି ପୂର୍ବରୁ ବିଭିନ୍ନ ସରକାରୀ ସଂସ୍ଥାର ଦଲିଲ ଯାଞ୍ଚ ସହ ବ୍ୟାପକ ଯାଞ୍ଚ-ପଡ଼ତାଳ କରାଯାଏ। ସେହିସହ ନୂତନ ଚିପ୍ଯୁକ୍ତ ଇ-ପାସପୋର୍ଟରେ ବାୟୋମେଟ୍ରିକ୍ ତଥ୍ୟ ଓ RFID ଚିପ୍ ବ୍ୟବହାର କରାଯାଇଥିବାରୁ ଜାଲିଆତିର ସମ୍ଭାବନା ବହୁତ କମିଛି।
ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଇ-ପାସପୋର୍ଟ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୧.୪୭ କୋଟି ଇ-ପାସପୋର୍ଟ ଜାରି କରାଯାଇଛି, ଯାହା ମୋଟ ପାସପୋର୍ଟର ପ୍ରାୟ ୧୦ ପ୍ରତିଶତ। ଏହି ଇ-ପାସପୋର୍ଟ ଇମିଗ୍ରେସନ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଓ ଦ୍ରୁତ କରିବା ସହ ଜାଲ ପାସପୋର୍ଟ ବ୍ୟବହାରକୁ ରୋକିବାରେ ସହାୟକ ହେଉଥିବା ମନ୍ତ୍ରଣାଳୟ କହିଛି।

