ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: ୮ ଜଣ ଅଭିଯୁକ୍ତ ଗିରଫ, ୭ କୋଟିରୁ ଅଧିକ ଟଙ୍କା ଗାଏବ ଅଭିଯୋଗ
ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ୮ ଜଣଙ୍କୁ ହେପାଜତକୁ ନେଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ମନ୍ଦିରରେ ନଗଦ ଦାନ ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଥିବା ବେଳେ ସିସିଟିଭି ଫୁଟେଜରେ ଦାନ ଅର୍ଥ ଆତ୍ମସାତ କରୁଥିବା ଧରାପଡ଼ିଥିବା ସୂଚନା ମିଳିଛି। ପ୍ରାୟ ୭ରୁ ୭.୫ କୋଟି ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପ୍ରଥମେ ସମାଜବାଦୀ ପାର୍ଟି ପକ୍ଷରୁ ଉଠାଯାଇଥିଲା। ଦଳର ମୁଖ୍ୟ ଅଖିଳେଶ ଯାଦବ ମନ୍ଦିର ଦାନ ପାଣ୍ଠିରୁ କୋଟି କୋଟି ଟଙ୍କା ହେରଫେର ହେଉଥିବା ଅଭିଯୋଗ କରି ନ୍ୟାୟିକ ତଦନ୍ତ ଦାବି କରିଥିଲେ। ପରେ ଟ୍ରଷ୍ଟ ସୋସିଆଲ ମିଡିଆରେ ପ୍ରଚାରିତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସରକାରଙ୍କୁ ତଦନ୍ତ କରିବାକୁ ଅନୁରୋଧ କରିଥିଲା। ଏହାପରେ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଥିଲେ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟ ସରକାରଙ୍କୁ ଦାଖଲ କରାଯାଇଛି।
ଘଟଣାକୁ ନେଇ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ IAS ଅଧିକାରୀ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ, ଦାନ ଅର୍ଥ ଚୋରି ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ବିଜେପିର ବରିଷ୍ଠ ନେତା ବିନୟ କଟିୟାର ମଧ୍ୟ ଏହି ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ବୋଲି କହିଛନ୍ତି। ଅନ୍ୟପକ୍ଷରେ ୮ ଜଣଙ୍କ ଗିରଫଦାରି ପରେ ସମାଜବାଦୀ ପାର୍ଟି କହିଛି ଯେ, ଏହା ପ୍ରମାଣ କରିଛି ଯେ ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ଘଟଣା ବାସ୍ତବ ଥିଲା।

