ଝାରସୁଗୁଡ଼ା ସ୍ନେହ ସେତୁ ଅଭିଯାନର ସଫଳତା: ୮ ବର୍ଷ ପରେ ପରିବାର ସହ ମିଶିଲେ ମାନସିକ ଅସୁସ୍ଥ ବିନୋଦ କୁମାର, ଜିଲ୍ଲାପାଳଙ୍କ ଉପସ୍ଥିତିରେ ପରିବାର ଲୋକକୁ ହସ୍ତାନ୍ତର
ଝାରସୁଗୁଡ଼ା, ୨୭/୬ (ଓଡ଼ିଶା ନ୍ୟୁଜ୍): ମାନବିକତା ଓ ସମ୍ବେଦନ ଶୀଳତାର ଏକ ଉଦାହରଣ ସୃଷ୍ଟି କରିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସ୍ନେହ ସେତୁ ଅଭିଯାନ। ଦୀର୍ଘ ୮ ବର୍ଷ ପରେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ନିଜ ପରିବାର ସହ ପୁନର୍ମିଳିତ ହୋଇଛନ୍ତି।
ସୂଚନା ଅନୁସାରେ, ବିନୋଦ କୁମାର ଯାଦବ ନାମକ ବ୍ୟକ୍ତିଙ୍କୁ ୨୫ ସେପ୍ଟେମ୍ବର ୨୦୧୮ରେ ଝାରସୁଗୁଡ଼ା ଅଞ୍ଚଳରୁ ଉଦ୍ଧାର କରା ଯାଇଥିଲା। ପରେ ତାଙ୍କୁ ପିପୁଲ୍ସ ଫୋରମ୍ ଦ୍ୱାରା ପରିଚାଳିତ ମିଶନ ଆଶା ଲୋକରେ ରଖା ଯାଇଥିଲା। ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା, ଯତ୍ନ ଓ ପୁନର୍ବାସ ସେବା ଯୋଗାଇ ଦିଆ ଯାଇଥିଲା। ଦୀର୍ଘ ଦିନର ଅନୁସନ୍ଧାନ ଓ ପ୍ରୟାସ ପରେ ବିନୋଦ କୁମାରଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ବୋଲି ଜଣା ପଡ଼ିଥିଲା। ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଝାରସୁଗୁଡ଼ା ଆଣିଥିଲେ। ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିନୋଦଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ କହିଥିଲେ ଯେ, “ମାନବିକତା ଓ ସମ୍ବେଦନ ଶୀଳତା ସହ କାର୍ଯ୍ୟ କଲେ ଅସହାୟ ଓ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ନିଶ୍ଚିତ ଭାବେ ତାଙ୍କ ପରିବାରକୁ ଫେରାଇ ଆଣିହେବ। ଏହା କେବଳ ଜଣେ ବ୍ୟକ୍ତିଙ୍କ ପୁନର୍ମିଳନ ନୁହେଁ, ବରଂ ଏକ ପରିବାରର ଖୁସିକୁ ଫେରାଇ ଆଣିବାର ମୁହୂର୍ତ୍ତ । ସେ ଏହି ସେବାମୂଳକ କାର୍ଯ୍ୟରେ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ କର୍ମକର୍ତ୍ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାଏକ, ପିପୁଲ୍ସ ଫୋରମ୍ ଏନଜିଓର କର୍ମକର୍ତ୍ତା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ମାନବିକ ପଦକ୍ଷେପ ସଫଳ ହୋଇ ଥିବାରୁ ଉପସ୍ଥିତ ଲୋକେ ଖୁସି ପ୍ରକାଶ କରିଥିଲେ।

