Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁହର୍ରମ ଶୋଭାଯାତ୍ରାରେ ୧୫ ହଜାର ଲୋକଙ୍କୁ ବିଷ ଦେଇ ହତ୍ୟା ଷଡ଼ଯନ୍ତ୍ର! ୫୦ କେଜି ବିଷ ଓ ୩୦ ହଜାର କ୍ୟାପସୁଲ୍ ଜବତ

ମୁମ୍ବାଇରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ପୋଲିସ। ଡୋଙ୍ଗ୍ରି ଅଞ୍ଚଳରେ ଭଡ଼ାରେ ନିଆଯାଇଥିବା ଏକ କୋଠରୀରେ ଚଢ଼ାଉ କରି ପୋଲିସ ପ୍ରାୟ ୫୦ କିଲୋଗ୍ରାମ ଜିଙ୍କ ଫସଫାଇଡ୍‌, ୩୦ ହଜାର ଖାଲି କ୍ୟାପସୁଲ୍ ଏବଂ ପ୍ରାୟ ୧୫ ହଜାର ବିଷଭର୍ତ୍ତି କ୍ୟାପସୁଲ୍ ଜବତ କରିଛି। ଏହି କୋଠରୀ ଫୟାଜ ପ୍ରେମଜୀ ନାମକ ବ୍ୟକ୍ତିଙ୍କର ବୋଲି ପୋଲିସ କହିଛି। ତଦନ୍ତକାରୀଙ୍କ ଦାବି ଅନୁଯାୟୀ, ସେ ମୁହର୍ରମ ଶୋଭାଯାତ୍ରା ସମୟରେ ଏହି କ୍ୟାପସୁଲ୍ ବଣ୍ଟନ କରି ପ୍ରାୟ ୧୫ ହଜାର ଲୋକଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ପୋଲିସର ଦାବି ଅନୁସାରେ, ଆଉ ୧୫ ହଜାର କ୍ୟାପସୁଲ୍ ପ୍ରସ୍ତୁତ କରିବାର ଯୋଜନା ମଧ୍ୟ ଥିଲା।

ପୋଲିସ କହିଛି, ଅଭିଯୁକ୍ତ ବିଷ ଭର୍ତ୍ତି କ୍ୟାପସୁଲ୍‌କୁ ଭିଟାମିନ୍ ଓ ଇମ୍ୟୁନିଟି ବୁଷ୍ଟର ବୋଲି କହି ବଣ୍ଟନ କରିବାର ଯୋଜନା କରିଥିଲେ। ଏପରିକି ନିଜେ ସବୁ କ୍ୟାପସୁଲ୍ ବାଣ୍ଟିପାରିବେ ନାହିଁ ବୋଲି ସେ କିଛି ଅଜାଣତରେ ଲୋକଙ୍କୁ ସ୍ୱେଚ୍ଛାସେବକ ଭାବେ ନିୟୋଜିତ କରିଥିବା ଅଭିଯୋଗ ରହିଛି। ପୋଲିସ ସୂଚନା ଅନୁସାରେ, ଅତି କମରେ ୧୧ ଜଣ ଏହି କ୍ୟାପସୁଲ୍ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ସଲମାନ ସୟଦ ଓ ଅଲି ଅବ୍ବାସ କହିଛନ୍ତି, ଏଗୁଡ଼ିକ ଭିଟାମିନ୍ କ୍ୟାପସୁଲ୍ ବୋଲି କହି ସେମାନଙ୍କୁ ଦିଆଯାଇଥିଲା। ଖାଇବାର କିଛି ସମୟ ପରେ ସେମାନେ ବାନ୍ତି କରିବା ଆରମ୍ଭ କରିଥିଲେ ଏବଂ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ସୂଚନା ମିଳିଛି।

ଜିଙ୍କ ଫସଫାଇଡ୍ ସାଧାରଣତଃ ମୂଷା ମାରିବା ପାଇଁ କୃଷି କ୍ଷେତ୍ରରେ ବ୍ୟବହୃତ ଏକ ଅତ୍ୟନ୍ତ ବିଷାକ୍ତ ରାସାୟନିକ। ଏହା ମଣିଷ ଶରୀରକୁ ଯିବା ପରେ ଫସଫିନ୍ ଗ୍ୟାସ୍ ସୃଷ୍ଟି କରି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ପୋଲିସ ଏବେ ସମଗ୍ର ଷଡ଼ଯନ୍ତ୍ର ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ଗଭୀର ତଦନ୍ତ ଜାରି ରଖିଛି। ମାମଲାର ତଦନ୍ତ ଚାଲିଥିବାରୁ ଅଭିଯୋଗଗୁଡ଼ିକ ଏପର୍ଯ୍ୟନ୍ତ ପୋଲିସ ତଦନ୍ତ ଅଧୀନରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories