ଆସାରାମ ବାପୁଙ୍କୁ ତୁରନ୍ତ ମିଳିଲାନି ଜାମିନ; ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲେ ବିଚାର କରିବେ ସୁପ୍ରିମକୋର୍ଟ
୨୦୧୩ ମସିହାର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଆସାରାମ ବାପୁଙ୍କୁ ତୁରନ୍ତ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ମଙ୍ଗଳବାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ, ରାଜ୍ୟ ପକ୍ଷର ମତ ନ ଶୁଣି କିମ୍ବା ସ୍ୱାସ୍ଥ୍ୟ ଅବସ୍ଥା ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ନ କରିପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦିଆଯିବ ନାହିଁ।
ଏହି ମାମଲା ୨୦୧୩ ମସିହାର, ଯେଉଁଥିରେ ଜଣେ ନାବାଳିକା ଭକ୍ତଙ୍କୁ ଯୋଧପୁର ଆଶ୍ରମରେ ଅଟକ ରଖି ଦୁଷ୍କର୍ମ ଓ ଧମକ ଦେବା ଅଭିଯୋଗରେ ଆସାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚଳିତ ବର୍ଷ ମେ’ ମାସରେ ରାଜସ୍ଥାନ ହାଇକୋର୍ଟ ତାଙ୍କ ଦୋଷସିଦ୍ଧିକୁ କାଏମ ରଖିଥିଲେ। ତେବେ ଅପରାଧିକ ଷଡ଼ଯନ୍ତ୍ର ଓ ଗ୍ୟାଙ୍ଗରେପ୍ ଅଭିଯୋଗରୁ ଆସାରାମ ଏବଂ ଅନ୍ୟ ଦୁଇ ସହ-ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଥିଲା।
ଆସାରାମଙ୍କ ପକ୍ଷରୁ ତାଙ୍କର ୯୦ ବର୍ଷ ବୟସ ଓ ଅସୁସ୍ଥତାକୁ ଦର୍ଶାଇ ଜାମିନ ଦାବି କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ପକ୍ଷରୁ ଏହାକୁ ବିରୋଧ କରାଯାଇ କୁହାଯାଇଥିଲା ଯେ, ଏହା ଜଣେ ନାବାଳିକାଙ୍କ ସହ ଜଡିତ ଗୁରୁତର ମାମଲା ଏବଂ ଆସାରାମଙ୍କୁ ଆବଶ୍ୟକ ସମସ୍ତ ଚିକିତ୍ସା ସୁବିଧା ଦିଆଯାଉଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବର୍ତ୍ତମାନ ପାଇଁ ତାଙ୍କୁ ମିଳୁଥିବା ଚିକିତ୍ସା ଜାରି ରହିବ। ଯଦି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୁଏ, ତେବେ ତୁରନ୍ତ ଜାମିନ ଆବେଦନ ଉପରେ ବିଚାର କରାଯିବ।

