ରାମ ମନ୍ଦିର ଦାନ ଅନିୟମିତତା ମାମଲା: ଗିରଫ ୮ ଜଣଙ୍କ ମଧ୍ୟରୁ ୬ ଜଣ ବାରାଣସୀର ସୁରକ୍ଷା ସଂସ୍ଥାର କର୍ମଚାରୀ
ଅଯୋଧ୍ୟା: ରାମ ମନ୍ଦିର ଦାନ ସଂଗ୍ରହରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣ ବାରାଣସୀ ଭିତ୍ତିକ ଏକ ସୁରକ୍ଷା ସଂସ୍ଥାର କର୍ମଚାରୀ ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ସଂସ୍ଥା ମନ୍ଦିରରେ ଦାନ ବାକ୍ସରୁ ବାହାରୁଥିବା ନଗଦ ଟଙ୍କା ଗଣନା ପାଇଁ ଜନଶକ୍ତି ଯୋଗାଇ ଦେଉଥିଲା।
ସୂଚନା ଅନୁସାରେ, ସୈନିକ ସିକ୍ୟୁରିଟି ସର୍ଭିସେସ୍ ନାମକ ଏହି ସଂସ୍ଥା ୨୦୧୭ ମସିହାରେ ବାରାଣସୀରେ ପଞ୍ଜୀକୃତ ହୋଇଥିଲା। ଏହାର ପରିଚାଳକ ଗୌରବ ସିଂହ କହିଛନ୍ତି ଯେ, ଅଯୋଧ୍ୟାର ଏସ୍ବିଆଇ ନୟା ଘାଟ ଶାଖାର ଅନୁରୋଧକ୍ରମେ ୧୯ ଜଣ କର୍ମଚାରୀଙ୍କୁ ନଗଦ ଗଣନା ଟିମ୍ରେ ନିଯୁକ୍ତ କରାଯାଇଥିଲା। ସାଧାରଣତଃ ଏଭଳି ନିଯୁକ୍ତି କର୍ପୋରେଟ୍ ସ୍ତରରୁ ହୋଇଥାଏ, କିନ୍ତୁ ଏହି କ୍ଷେତ୍ରରେ ସ୍ଥାନୀୟ ଶାଖା ପକ୍ଷରୁ ଚାହିଦା ଆସିଥିଲା ବୋଲି ସେ ଦାବି କରିଛନ୍ତି।
ଏସ୍ବିଆଇ ପକ୍ଷରୁ କୁହାଯାଇଛି ଯେ, ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT)କୁ ବ୍ୟାଙ୍କ ପୂର୍ଣ୍ଣ ସହଯୋଗ କରୁଛି। ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏପରି ନିଯୁକ୍ତି ସାଧାରଣତଃ କେନ୍ଦ୍ରୀୟ ସ୍ତରରୁ କରାଯାଏ।
ପୋଲିସ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଦସ୍ତାବିଜ ଅନୁସାରେ, ଗିରଫ ୮ ଜଣଙ୍କ ମଧ୍ୟରୁ ୬ ଜଣ ଏହି ସୁରକ୍ଷା ସଂସ୍ଥାର ବେତନଭୋଗୀ କର୍ମଚାରୀ ଥିଲେ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ରାମଶଙ୍କର ଯାଦବ (ଟିନ୍ନୁ), ମନୀଷ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅବିନାଶ ଶୁକ୍ଲା, ରାମାଶଙ୍କର ମିଶ୍ର ଏବଂ କରୁଣେଶ ପାଣ୍ଡେ।
ତେବେ ସୂତ୍ର ଅନୁସାରେ, ରାମଶଙ୍କର ଯାଦବ ସିଧାସଳଖ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରୁ ବେତନ ପାଉଥିବା ବେଳେ, ସୁଭାଷ ଶ୍ରୀବାସ୍ତବ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ସେ କୌଣସି ବେତନ ନେଉନଥିଲେ। ମାମଲାର ତଦନ୍ତ ଜାରି ରହିଛି ଏବଂ ଦାନ ସଂଗ୍ରହରେ ଅନିୟମିତତାର ପୂରା ଚକ୍ରାନ୍ତ ଉନ୍ମୋଚନ ପାଇଁ SIT ଅଧିକ ତଦନ୍ତ କରୁଛି।

