ନବମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ; ଅଭିଯୁକ୍ତ ଅଟକ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି।
ଘଟଣାଟି ଫତେପୁର ପଞ୍ଚାୟତର ଲେଞ୍ଜରା ଛକ ନିକଟରେ ଘଟିଛି। ଅଭିଯୋଗ ଅନୁଯାୟୀ, ଧର୍ମାଗତପୁର ଗାଁର ଦିଲ୍ଲୀପ ଜେନା (୩୨) ଦୀର୍ଘଦିନ ଧରି ଉକ୍ତ ଛାତ୍ରୀଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିଲେ। କିନ୍ତୁ ଛାତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ସୋମବାର ସକାଳେ ସେ ସ୍କୁଲକୁ ଯାଉଥିବା ବେଳେ ରାସ୍ତାରେ ଅଟକାଇ ତାଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ସେମାନଙ୍କ ତତ୍ପରତା ଯୋଗୁଁ ଛାତ୍ରୀଙ୍କ ଜୀବନ ରକ୍ଷା ପାଇଥିବା କୁହାଯାଉଛି।
ଘଟଣା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ଦିଲ୍ଲୀପ ଜେନା ପୂର୍ବରୁ ଦୁଇଟି ବିବାହ କରିଥିବା ସୂଚନା ମିଳିଛି। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

