ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ: ‘ପିଲାଙ୍କ ଭବିଷ୍ୟତ ସହ ଖେଳିଛନ୍ତି, ଉତ୍ତର ଦେବେ କିଏ?’
ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ହୋଇଥିବା ଭୁଲ କେବଳ ଛପା ତ୍ରୁଟି ନୁହେଁ, ବରଂ ଏହା ପିଲାମାନଙ୍କ ଭବିଷ୍ୟତ ଓ ବ୍ୟବସ୍ଥା ଉପରେ ଥିବା ବିଶ୍ୱାସକୁ ଗଭୀର ଆଘାତ ଦେଇଛି। ଏହି ଭୁଲ ପାଇଁ ଦାୟୀ କିଏ ଏବଂ ଏହାର ଜବାବଦେହି କିଏ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ନବୀନ କହିଛନ୍ତି, ପାଠ୍ୟପୁସ୍ତକ ମାଧ୍ୟମରେ ପିଲାମାନେ କେବଳ ତଥ୍ୟ ଶିଖନ୍ତି ନାହିଁ, ବରଂ ସମାଜ ଓ ବ୍ୟବସ୍ଥା ପ୍ରତି ବିଶ୍ୱାସ ମଧ୍ୟ ଗଢ଼ି ଉଠେ। ସେହି ବିଶ୍ୱାସ ଭାଙ୍ଗିଗଲେ ତାହାର କ୍ଷତି କୌଣସି ସଂଶୋଧନ ଦ୍ୱାରା ପୂରଣ ହୋଇପାରିବ ନାହିଁ। ବିଜେପି ସରକାରଙ୍କ ଅବହେଳାପୂର୍ଣ୍ଣ ମନୋଭାବ ପିଲାମାନଙ୍କ ବିଶ୍ୱାସ ସହ ବିଶ୍ୱାସଘାତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏପଟେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ବିଜେଡିର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ଏହାସହ ଘଟଣାର ସିବିଆଇ ତଦନ୍ତ ଦାବି କରି ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେବାକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବିଜେଡି କହିଛି, ଆଗାମୀ ପର୍ଯ୍ୟାୟରେ ମନ୍ତ୍ରୀଙ୍କ ଗୃହ ଜିଲ୍ଲା ନବରଙ୍ଗପୁରରେ ମଧ୍ୟ ଆନ୍ଦୋଳନକୁ ତୀବ୍ର କରାଯିବ।

