ଝାରସୁଗୁଡ଼ାରେ ହୃଦୟ ବିଦାରକ ଘଟଣା, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ,ମିଳିଲାନି ଶବବାହକ ଗାଡ଼ି, ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ଘରକୁ ଆଣିଲେ ଅସହାୟ ସ୍ୱାମୀ
ଝାରସୁଗୁଡ଼ା,୫/୭ (ଓଡ଼ିଶା ନ୍ୟୁଜ୍): ରାଜ୍ୟରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାର ବିକାଶ ନେଇ ସରକାର ବିଭିନ୍ନ ଦାବି କରୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରୁ ଆସିଥିବା ଏକ ହୃଦୟ ବିଦାରକ ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି । ଶବ ବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ମୃତଦେହକୁ ଏକ ବାଇକ୍ରେ ଘରକୁ ନେବାକୁ ପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ହସ୍ପିଟାଲ ପକ୍ଷରୁ ଶବ ବାହକ ଗାଡ଼ି କିମ୍ବା ଆମ୍ବୁଲାନ୍ସର କୌଣସି ବ୍ୟବସ୍ଥା ହୋଇନଥିଲା। ଅନେକ ଚେଷ୍ଟା ବିଫଳ ହେବା ପରେ ନରେଶ ଜଣେ ପଡ଼ୋଶୀଙ୍କ ବାଇକ୍ରେ ପତ୍ନୀଙ୍କ ମୃତଦେହକୁ କପଡ଼ାରେ ବାନ୍ଧି ଗ୍ରାମକୁ ଫେରିଥିଲେ।
ନରେଶ ଛତ୍ରିଆ କହିଛନ୍ତି କି ଯେ, “ହସ୍ପିଟାଲରୁ ମୋତେ କୌଣସି ଆମ୍ବୁଲାନ୍ସ କିମ୍ବା ଶବ ବାହକ ଗାଡ଼ି ମିଳିଲାନି। ତେଣୁ ମତେ ବାଧ୍ୟ ହୋଇ ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ଘରକୁ ନେବାକୁ ପଡ଼ିଲା।”
ଏହି ଘଟଣାକୁ ନେଇ ସମାଜସେବୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମାଜସେବୀ ଅଶୋକ କୁମାର ମାଝୀ କହିଛନ୍ତି, ଏହା ଦାନ ମାଝୀ ଘଟଣାର ପୁନରାବୃତ୍ତି। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଏଭଳି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିଫଳତାକୁ ପ୍ରମାଣିତ କରୁଛି। ଏଥିପାଇଁ ଜନ ପ୍ରତିନିଧି ଓ ସ୍ୱାସ୍ଥ୍ୟ ପ୍ରଶାସନ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ଆଦିବାସୀ ଆକ୍ଟିଭିଷ୍ଟ ସଞ୍ଜୁଲତା ନାଏକ କହିଛନ୍ତି, ଏହା ଏକ ଆଦିବାସୀ ଅଧ୍ୟୁଷିତ ଓ ଶିଳ୍ପାଞ୍ଚଳ ହୋଇଥିଲେ ମଧ୍ୟ ଏ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବାର ଅଭାବ ଚିନ୍ତା ଜନକ । ମୁନ୍ଦ୍ରାଜୋର ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଭାବେ ଶବ ବାହକ ଗାଡ଼ିର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ କହିଛନ୍ତି ଯେ, ରୋଗୀଙ୍କୁ ଗତକାଲି ସନ୍ଧ୍ୟା ପ୍ରାୟ ୫ ଟାରେ ହସ୍ପିଟାଲକୁ ଅଣା ଯାଇଥିଲା ଏବଂ ସାଢ଼େ ୫ ଟାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ନିୟମ ଅନୁଯାୟୀ ପୋଲିସକୁ ସୂଚନା ଦେଇ ପୋଷ୍ଟମର୍ଟମ କରାଯିବା କଥା ଥିଲା। କିନ୍ତୁ ସମ୍ପର୍କୀୟ ମାନେ ପୋଷ୍ଟମର୍ଟମ ପାଇଁ ମନା କରି ଲିଖିତ ଅଣ୍ଡରଟେକିଂ ଦେଇ ନିଜ ବ୍ୟବସ୍ଥାରେ ମୃତଦେହକୁ ନେଇ ଚାଲି ଯାଇଥିଲେ। ସିଡିଏମଓ ଆହୁରି ସ୍ପଷ୍ଟ କରିଛନ୍ତି ଯେ ମୁନ୍ଦ୍ରାଜୋର ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବାହକ ଗାଡ଼ି ଉପଲବ୍ଧ ନାହିଁ। ଅନ୍ୟ ସ୍ଥାନରୁ ଗାଡ଼ିର ବ୍ୟବସ୍ଥା କରା ଯାଉଥିବା ବେଳେ ସମ୍ପର୍କୀୟ ମାନେ ମୃତଦେହକୁ ନେଇ ଚାଲି ଯାଇଥିଲେ। ସମଗ୍ର ଘଟଣାର ତଦନ୍ତ କରାଯିବ ଏବଂ କୌଣସି ଅବହେଳା ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

