ଇରାନର ନୂଆ ନେତା ମୋଜତାବା ଖାମେନେଇଙ୍କୁ ନେଇ ଟ୍ରମ୍ପଙ୍କ ବଡ ବୟାନ: କହିଲେ, ଇରାନର ସାମରିକ ଶକ୍ତି ପ୍ରାୟ ‘୯୦ ପ୍ରତିଶତ ଶେଷ’
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ତିବ୍ର ଉତ୍ତେଜନା ଜାରି ଥିବାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସାମରିକ କ୍ଷମତା ଓ ସର୍ବୋଚ୍ଚ ନେତୃତ୍ୱକୁ ନେଇ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନର ସାମରିକ ଶକ୍ତିକୁ ଭାରି କ୍ଷତି ପହଞ୍ଚିଛି। ଏହାସହ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ନେଇ ମଧ୍ୟ ସେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ କରି କହିଛନ୍ତି ଯେ ସେ ‘୯୦ ପ୍ରତିଶତ ଶେଷ’ ହୋଇଯାଇଛନ୍ତି।
ଏକ ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ନୌସେନା, ବାୟୁସେନା ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପ୍ରାୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ସେ କହିଛନ୍ତି, “ସେମାନଙ୍କ ପାଖରେ ଆଉ ନୌସେନା କିମ୍ବା ବାୟୁସେନା ନାହିଁ। ବିମାନ ପ୍ରତିରକ୍ଷା କ୍ଷମତା ମଧ୍ୟ ଶେଷ ହୋଇଯାଇଛି। ସେମାନଙ୍କର ଅନେକ ଶୀର୍ଷ ସାମରିକ ନେତା ନିହତ ହୋଇଛନ୍ତି।” ତେବେ ଟ୍ରମ୍ପଙ୍କ ଏହି ଦାବିକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ।
ଟ୍ରମ୍ପ ଆହୁରି କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତାଙ୍କ ପରିବାର ମଧ୍ୟ ଏହି ସଂଘର୍ଷର ପ୍ରଭାବରୁ ମୁକ୍ତ ନୁହେଁ। ସେ ମୋଜତାବା ଖାମେନେଇଙ୍କ ସମ୍ପର୍କରେ ‘୯୦ ପ୍ରତିଶତ ଶେଷ’ ବୋଲି ଦାବି କରିଥିବାବେଳେ, ଫେବୃଆରୀ ୨୮ ପରଠାରୁ ମୋଜତାବା ସାର୍ବଜନୀନ ଭାବେ ଦେଖାଯାଇନଥିବା ନେଇ ଚର୍ଚ୍ଚା ଚାଲିଛି। ଏପରିକି ସେ ଆମେରିକାର ଆକ୍ରମଣରେ ଆହତ ହୋଇଥିବା ନେଇ ମଧ୍ୟ କିଛି ରିପୋର୍ଟରେ ଦାବି କରାଯାଇଛି, ଯଦିଓ ଏହାର ସରକାରୀ ପୁଷ୍ଟି ମିଳିନାହିଁ।
ଏପଟେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ନେଇ ମଧ୍ୟ ବିବାଦ ଜାରି ରହିଛି। ଇରାନ ଅଭିଯୋଗ କରିଛି ଯେ ଆମେରିକା ଚୁକ୍ତିର ସର୍ତ୍ତ ପାଳନ କରିନାହିଁ ଏବଂ ଏହି ପ୍ରସଙ୍ଗକୁ ଜାତିସଂଘରେ ଉଠାଇଛି। ଇରାନୀ ରାଷ୍ଟ୍ରଦୂତ ଅମୀର ସଇଦ ଇରାଭାନୀ କହିଛନ୍ତି ଯେ, ଚୁକ୍ତି ପରେ ଆମେରିକା କେବଳ ନିଜ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇନାହିଁ, ବରଂ ଚୁକ୍ତିର ମୌଳିକ ନୀତିକୁ ମଧ୍ୟ ଦୁର୍ବଳ କରିଛି।

