Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେନ୍‌ସନଭୋଗୀଙ୍କ ଖାତାରେ ୭୫୯ କୋଟି ଟଙ୍କା! ଭାଇରାଲ ଭିଡିଓକୁ ନେଇ ବଢ଼ିଲା ଚର୍ଚ୍ଚା

ଜଣେ ବୃଦ୍ଧ ପେନ୍‌ସନଭୋଗୀଙ୍କ ବ୍ୟାଙ୍କ ଖାତାରେ ୭୫୯ କୋଟି ୫୯ ଲକ୍ଷ ଟଙ୍କାରୁ ଅଧିକ ଜମା ଥିବା ଦର୍ଶାଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ୭୫ ବର୍ଷରୁ ଅଧିକ ବୟସ୍କ ରାମଚନ୍ଦ୍ର ବର୍ମା ଆଧାର ପ୍ରମାଣୀକରଣ ମାଧ୍ୟମରେ ୧,୧୦୦ ଟଙ୍କା ପେନ୍‌ସନ ଉଠାଇବା ପାଇଁ ଏକ ଜନସେବା କେନ୍ଦ୍ରକୁ ଯାଇଥିଲେ। ଆଉ ସେଠାରେ ଯାଇ ଯାହା ଶୁଣିଲେ ସେ ତାଜୁବ ହୋଇଗଲେ | ତାଙ୍କ ଖାତାରେ ୭୫୯ କୋଟିରୁ ଅଧିକ ଟଙ୍କା ଥିବା ଅପରେଟର ଠାରୁ ଜାଣିବାକୁ ପାଇଲେ | ଏହାପରେ ଅପରେଟର ଏହାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିବା କୁହାଯାଉଛି।

ତେବେ ଏହି ଭିଡିଓର ସତ୍ୟତାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଟେକ୍ନିକାଲ ତ୍ରୁଟି କିମ୍ବା ୱେବ୍ ପେଜ୍‌ରେ କୃତ୍ରିମ ପରିବର୍ତ୍ତନର ଫଳ ବୋଲି ସନ୍ଦେହ କରୁଛନ୍ତି। କେତେକ ବ୍ୟବହାରକାରୀ କହିଛନ୍ତି, ସରକାରୀ ଯାଞ୍ଚ ବିନା ଏପରି ଦାବିକୁ ସତ ବୋଲି ଧରିନେବା ଉଚିତ ନୁହେଁ। ଯଦି ଘଟଣାଟି ସତ, ତେବେ ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

ଏହି ଘଟଣା ପରେ ବୃଦ୍ଧଙ୍କ ବ୍ୟକ୍ତିଗତ ସୂଚନା ଓ ବ୍ୟାଙ୍କ ଖାତାର ବିବରଣୀ ସାର୍ବଜନୀନ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନେକ ଲୋକ ଜନସେବା କେନ୍ଦ୍ରର ଅପରେଟରଙ୍କ କାର୍ଯ୍ୟକୁ ଦାୟିତ୍ୱହୀନ ବୋଲି କହିବା ସହ ଗ୍ରାହକଙ୍କ ସମ୍ମତି ବିନା ତାଙ୍କ ପରିଚୟ ଓ ଆର୍ଥିକ ସୂଚନା ପ୍ରକାଶ କରିବା ଗୋପନୀୟତାର ଉଲ୍ଲଂଘନ ବୋଲି ମତ ପ୍ରକାଶ କରିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସଂସ୍ଥା ଏହି ଭିଡିଓର ସତ୍ୟତା କିମ୍ବା ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ