ଇରାନର ସାମରିକ ବାହିନୀ “ଆଇଆରଜିସି”କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ
ନୂଆଦିଲ୍ଲୀ: ବ୍ରିଟେନ ସରକାର ଇରାନର ସାମରିକ ବାହିନୀ “ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)”କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ବ୍ରିଟେନରେ ଇହୁଦୀ ସମୁଦାୟ, ଇସ୍ରାଏଲ ସମର୍ଥକ ଏବଂ ଇରାନ ବିରୋଧୀ ଗଣମାଧ୍ୟମକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣ ଓ ଷଡ଼ଯନ୍ତ୍ରରେ ଆଇଆରଜିସିର ସମ୍ପୃକ୍ତି ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।
ବ୍ରିଟେନ ସରକାର ‘ନ୍ୟାସନାଲ ସିକ୍ୟୁରିଟି (ଷ୍ଟେଟ୍ ଥ୍ରେଟ୍ସ) ଆକ୍ଟ-୨୦୨୬’ ଅନୁଯାୟୀ ଏହି କଟକଣା ଲାଗୁ କରିଛନ୍ତି। ଏହା ପ୍ରଥମ ଘଟଣା, ଯେଉଁଥିରେ ବ୍ରିଟେନ କୌଣସି ବିଦେଶୀ ରାଷ୍ଟ୍ରର ସରକାରୀ ସାମରିକ ବାହିନୀକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ସୁରକ୍ଷା ଏଜେନ୍ସିଙ୍କ ମତାନୁସାରେ, ଇରାନ ସମର୍ଥିତ ଗୋଷ୍ଠୀ ବ୍ରିଟେନରେ ଏକାଧିକ ହିଂସାତ୍ମକ ଆକ୍ରମଣ ଓ ଷଡ଼ଯନ୍ତ୍ରରେ ସାମିଲ ଥିଲେ।
ନୂଆ ନିୟମ ଅନୁଯାୟୀ ବ୍ରିଟେନରେ ଆଇଆରଜିସିକୁ ସମର୍ଥନ କରିବା, ଏହାର ସଭା ଆୟୋଜନ କରିବା କିମ୍ବା ଏହାର ପ୍ରତୀକ ବା ଲୋଗୋ ପ୍ରଦର୍ଶନ କରିବା ଦଣ୍ଡନୀୟ ଅପରାଧ ହେବ। ଏହି ସଂଗଠନ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ୧୪ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡ଼ିପାରେ।

