Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା, ବିଶ୍ୱ ଦରବାରରେ ଓଡ଼ିଶାର ଗୌରବ ବଢ଼ାଇଲେ ଓମ ପ୍ରକାଶ ସାହୁ

କଳାହାଣ୍ଡି: ତାଇୱାନରେ ଆୟୋଜିତ “ଟଙ୍ଗସିଆଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ”ରେ କଳାହାଣ୍ଡି ଜିଲ୍ଲାର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ନୂଆଖାଇ ପର୍ବକୁ ନେଇ ନିର୍ମିତ ବାଲୁକା କଳା ପ୍ରଦର୍ଶନ କରି ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସଂସ୍କୃତିକୁ ପରିଚିତ କରାଇଛନ୍ତି। ଚଳିତ ମାସ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ସେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ।

‘ଆଶୀର୍ବାଦ (Blessing)’ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ପ୍ରଦର୍ଶନୀରେ ତାଇୱାନ, ଚୀନ୍, ଜାପାନ, କାନାଡା, ଇଟାଲୀ, ରୁଷ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡ ସମେତ ୧୦ଟି ଦେଶର ଶିଳ୍ପୀମାନେ ଭାଗ ନେଇଥିଲେ। ଓମ ପ୍ରକାଶ ସାହୁ ତାଙ୍କ କଳାକୃତିରେ ତାସକେଣ୍ଡି ଫୁଲ, କୁରେଇ ପତ୍ର ଓ ସାରିଆଁ ଧାନ କେଣ୍ଡା ସହ ‘ନୂଆଖାଇ ଜୁହାର’ କରୁଥିବା ଜଣେ ଯୁବତୀଙ୍କ ଚିତ୍ରକୁ ନିଖୁଣ ଭାବେ ଉପସ୍ଥାପନ କରିଥିଲେ।

ତେବେ ବିଦେଶ ମାଟିରେ ପଶ୍ଚିମ ଓଡ଼ିଶାର ଲୋକପର୍ବ ଓ ସଂସ୍କୃତିକୁ ପ୍ରଦର୍ଶନ କରିପାରିଥିବାରୁ ସେ ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ