ପହଲଗାମ ଆକ୍ରମଣ ମାମଲାରେ ବଡ଼ ପଦକ୍ଷେପ; ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି
ନୂଆଦିଲ୍ଲୀ: କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତରେ ଜାତୀୟ ତଦନ୍ତ ସଂସ୍ଥା (NIA) ବଡ଼ ସଫଳତା ହାସଲ କରିଛି। ଜମ୍ମୁସ୍ଥିତ ସ୍ୱତନ୍ତ୍ର NIA ଅଦାଲତ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ (NBW) ଜାରି କରିଛନ୍ତି। NIA ପକ୍ଷରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହେବା ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏନଆଇଏ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ୭୬ ବର୍ଷୀୟ ହାଫିଜ୍ ସଇଦଙ୍କ ସହ ଲସ୍କର-ଏ-ତୈବା ଏବଂ ଏହାର ପ୍ରକ୍ସି ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF)କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ୧୯୬୭ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଏନଆଇଏ ଅଦାଲତଙ୍କୁ ଜଣାଇଛି ଯେ, ହାଫିଜ୍ ସଇଦ ବର୍ତ୍ତମାନ ପଳାତକ ଅଛନ୍ତି ଏବଂ ଜାଣିଶୁଣି ଗିରଫଦାରୀକୁ ଏଡ଼ାଇ ଚାଲିଛନ୍ତି। ତଦନ୍ତ ପାଇଁ ତାଙ୍କୁ ଗିରଫ କରି ପଚରାଉଚରା କରିବା ଅତ୍ୟନ୍ତ ଜରୁରୀ ବୋଲି NIA ପକ୍ଷରୁ ଦାବି କରାଯାଇଥିଲା।
ଅଦାଲତ NIAର ଯୁକ୍ତିକୁ ଗ୍ରହଣ କରି ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ NIAର ଜମ୍ମୁ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (DIG)ଙ୍କ ନିକଟକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ହାଫିଜ୍ ସଇଦଙ୍କୁ ଭାରତ, ଆମେରିକା ସମେତ ଅନେକ ଦେଶ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ୨୦୦୮ ମସିହାର ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଭାବେ ମଧ୍ୟ ତାଙ୍କ ନାମ ଜଡ଼ିତ ରହିଛି।

