ଜେଲରୁ ମୁକୁଳିବେ ଦାରା ସିଂ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତିକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଦାରା ସିଂଙ୍କ ଓକିଲ ଏ.ପି. ସିଂଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମୁକ୍ତି ନ ମିଳେ, ତେବେ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟରେ ମାମଲାର ପୁଣି ଶୁଣାଣି ହେବ ବୋଲି ସେ ସୂଚନା ଦେଇଛନ୍ତି।
ଓକିଲଙ୍କ ଦାବି ଅନୁଯାୟୀ, ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି। ଦାରା ସିଂ ପ୍ରାୟ ୨୬ ବର୍ଷ ଧରି କାରାଗାରରେ ଦଣ୍ଡ ଭୋଗ କରୁଛନ୍ତି। ତେବେ ତାଙ୍କ ମୁକ୍ତି ସମ୍ପର୍କରେ ସରକାରୀ ସ୍ତରରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ ଓ ଟିମୋଥିଙ୍କୁ ସେମାନେ ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶ ଓ ବିଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ସିବିଆଇ ତଦନ୍ତ ପରେ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାର ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଗତବର୍ଷ ୨୫ ବର୍ଷ କାରାଦଣ୍ଡ ଭୋଗିବା ପରେ ଭଲ ଆଚରଣ ଆଧାରରେ ଚୌଦ୍ୱାର ଜେଲରୁ ମୁକ୍ତ କରାଯାଇଥିଲା।

