କୋର୍ଟ ଭିତରେ କଳାଯାଦୁ କରି ମାମଲା ଜିତିବା ଉଦ୍ୟମ! ୬୫ ବର୍ଷୀୟା ମହିଳା ଗିରଫ
କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଚାଲିଥିବା ଏକ ସିଭିଲ୍ ମାମଲାର ରାୟକୁ ନିଜ ସପକ୍ଷରେ ଆଣିବା ଆଶାରେ ଜଣେ ୬୫ ବର୍ଷୀୟା ମହିଳା କୋର୍ଟ ପରିସର ଭିତରେ କଥିତ ଭାବେ କଳାଯାଦୁ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତା ମଞ୍ଜୁଳା ଚିକ୍କବଲ୍ଲାପୁର ସହରର ବାସିନ୍ଦା। ସେ କୋର୍ଟର ୧ମ ଅତିରିକ୍ତ ବରିଷ୍ଠ ସିଭିଲ୍ ଜଜ୍ ଓ ଜେଏମଏଫସିଙ୍କ ଆସନ ନିକଟରେ ପୂଜିତ ଧଳା ସୋରିଷ ଛିଞ୍ଚି ତନ୍ତ୍ର-ମନ୍ତ୍ର କରିଥିବା ଅଭିଯୋଗ ହୋଇଛି।
କୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସମସ୍ତ ଘଟଣା ରେକର୍ଡ ହୋଇଥିଲା। ଫୁଟେଜ୍ ଯାଞ୍ଚ କରିବା ପରେ କୋର୍ଟ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ। ମୁଖ୍ୟ ପ୍ରଶାସନିକ ଅଧିକାରୀ ନେତ୍ରାଙ୍କ ଅଭିଯୋଗ ଆଧାରରେ ପୁଲିସ ମଞ୍ଜୁଳାଙ୍କ ବିରୋଧରେ କର୍ଣ୍ଣାଟକ ଅମାନବୀୟ କୁପ୍ରଥା ଓ କଳାଯାଦୁ ନିବାରଣ ଆଇନ, ୨୦୧୭ ଅନୁଯାୟୀ ମାମଲା ରୁଜୁ କରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମଞ୍ଜୁଳା ନିଜେ ସମ୍ପୃକ୍ତ ଥିବା ଏକ ସିଭିଲ୍ ମାମଲାର ରାୟକୁ ପ୍ରଭାବିତ କରିବା ବିଶ୍ୱାସରେ ଏହି କଥିତ କଳାଯାଦୁ କରିଥିଲେ। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିଲେ କି ନାହିଁ ଏବଂ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

