Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ମୁଜ ପ୍ରଣାଳୀ ଆକ୍ରମଣରେ ପ୍ରାଣ ହରାଇଲେ ପୁଣେର ମେରାଇନ୍ ଇଞ୍ଜିନିୟର; ମୃତ୍ୟୁ ପୂର୍ବରୁ ପରିବାରକୁ ପଠାଇଥିଲେ ଶେଷ ମେସେଜ୍

ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ପୁଣେର ୩୦ ବର୍ଷୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କରମରକର ମୃତ୍ୟୁ ପୂର୍ବରୁ ପରିବାରକୁ ପଠାଇଥିବା ଶେଷ ମେସେଜ୍ ବର୍ତ୍ତମାନ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ସେ ମେସେଜରେ ଲେଖିଥିଲେ ଯେ, ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ ‘ଜିଏଫଏକ୍ସ ଗାଲାକ୍ସି’ ସୁରକ୍ଷିତ ଭାବେ ଗଲ୍ଫ୍ ଅଞ୍ଚଳ ଅତିକ୍ରମ କରିସାରିଛି ଏବଂ ସମସ୍ତେ ବିପଦମୁକ୍ତ ଅଛନ୍ତି। କିନ୍ତୁ ଏହି ବାର୍ତ୍ତା ହିଁ ତାଙ୍କ ପରିବାର ପାଇଁ ଶେଷ ଯୋଗାଯୋଗରେ ପରିଣତ ହୋଇଥିଲା। ଏହାର କିଛି ସମୟ ପରେ ଓମାନ ଉପକୂଳବର୍ତ୍ତୀ ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା।

ଏହି ଆକ୍ରମଣ ପରେ ଜାହାଜରେ ଥିବା ୧୦ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ହେଲେ ହେରମ୍ବ କରମରକର ନିଖୋଜ ଥିବା ସୂଚନା ମିଳିଥିଲା। ପରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୁଅକୁ ହରାଇବା ପରେ ହେରମ୍ବଙ୍କ ମରଶରୀରକୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବା ପାଇଁ ତାଙ୍କ ପରିବାର କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟପଟେ ଭାରତ ସରକାର ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣ ଅତ୍ୟନ୍ତ ଚିନ୍ତାଜନକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ଓ ଜାହାଜ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମ୍ପର୍କରେ ରହି ଉଦ୍ଧାର କାର୍ଯ୍ୟ ଓ ମରଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସମନ୍ୱୟ କରୁଛି। ହର୍ମୁଜ ପ୍ରଣାଳୀରେ ବଢ଼ୁଥିବା ସାମରିକ ଉତ୍ତେଜନା ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଶକ୍ତି ସୁରକ୍ଷା ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ