ବାରମ୍ବାର ପିଉଛନ୍ତି କି ବୋବା ଟି? ଜାଣନ୍ତୁ ଏହାର ଫାଇଦା, କ୍ଷତି ଓ ସୁସ୍ଥ ବିକଳ୍ପ
ଆଜିକାଲି କାଫେ ଓ ରେଷ୍ଟୁରାଣ୍ଟକୁ ଗଲେ ଯୁବପିଢ଼ୀଙ୍କ ହାତରେ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି ବୋବା ଟି | କିମ୍ବା ବବଲ୍ ଟି | ରଙ୍ଗିନ ଦେଖାଯାଉଥିବା ଏହି ପାନୀୟ ଏବେ ଏକ ଫୁଡ୍ ଟ୍ରେଣ୍ଡରେ ପରିଣତ ହୋଇଛି। ତେବେ ଏହା ଯେତିକି ସ୍ୱାଦିଷ୍ଟ, ସେତିକି ସ୍ୱାସ୍ଥ୍ୟକର କି? ଏହାକୁ ନିୟମିତ ପିଇବା ଶରୀର ପାଇଁ ଭଲ କି କ୍ଷତିକାରକ? ଆସନ୍ତୁ ଜାଣିବା ବୋବା ଟି ସମ୍ପର୍କରେ କିଛି ଜରୁରୀ ତଥ୍ୟ…
ବୋବା ଟି କ’ଣ?
ବୋବା ଟିର ଉତ୍ପତ୍ତି ୧୯୮୦ ଦଶକରେ ତାଇୱାନରେ ଆରମ୍ଭ ହୋଇଥିଲା। ଏହାକୁ ସାଧାରଣତଃ ଚା, କ୍ଷୀର, ଚିନି ଓ ଟାପିଓକା ପର୍ଲ୍ସ ମିଶାଇ ପ୍ରସ୍ତୁତ କରାଯାଏ। ବର୍ତ୍ତମାନ ଚକୋଲେଟ୍, ଷ୍ଟ୍ରବେରି, ମ୍ୟାଙ୍ଗୋ, ମାଚା ଓ ଅନ୍ୟାନ୍ୟ ଫ୍ଲେଭରରେ ଏହା ବଜାରରେ ଉପଲବ୍ଧ ଥିବାରୁ ଏହାର ଚାହିଦା ବହୁତ ବଢ଼ିଛି।
ବୋବା ଟିରେ କେଉଁ ପୋଷକ ତତ୍ତ୍ୱ ରହିଛି ?
ବୋବା ଟିରେ କିଛି ପରିମାଣରେ କ୍ୟାଲସିୟମ୍, ଆଇରନ୍ ଓ ଫୋଲେଟ୍ ଭଳି ପୋଷକ ତତ୍ତ୍ୱ ଥିଲେ ମଧ୍ୟ ସେଗୁଡ଼ିକର ପରିମାଣ ଅତ୍ୟନ୍ତ କମ୍। ଅଧିକାଂଶ ବୋବା ଟିରେ ଚିନି ଓ କାର୍ବୋହାଇଡ୍ରେଟ୍ର ପରିମାଣ ବେଶି ଥାଏ, ଯାହା ଏହାକୁ ଉଚ୍ଚ କ୍ୟାଲୋରିଯୁକ୍ତ ପାନୀୟରେ ପରିଣତ କରେ।
ଅଧିକ ବୋବା ଟି ପିଇଲେ କ’ଣ କ୍ଷତି ହୋଇପାରେ?
ବୋବା ଟିରେ ଅଧିକ ପରିମାଣର ଚିନି ଥିବାରୁ ନିୟମିତ ସେବନ କଲେ ଶରୀରରେ ମୋଟାପଣ ଓ ଟାଇପ୍-୨ ଡାଏବେଟିସ୍ ର ଆଶଙ୍କା ବଢ଼ିପାରେ। ଏଥିରେ ଅଧିକ କ୍ୟାଲୋରି ଥିବାରୁ ଶରୀରରେ ଅତିରିକ୍ତ ଚର୍ବି ଜମା ହେବାର ସମ୍ଭାବନା ରହିଥାଏ। ଅଧିକ ଚିନିଯୁକ୍ତ ପାନୀୟ ନିୟମିତ ପିଇବା ଦ୍ୱାରା ନନ୍-ଆଲ୍କୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ ର ସମସ୍ୟା (NAFLD) ଦେଖାଦେଇପାରେ । କିଛି ଗବେଷଣାରେ ଅଧିକ ଚିନିଯୁକ୍ତ ପାନୀୟର ଅତ୍ୟଧିକ ସେବନ ଦୀର୍ଘମିଆଦିରେ ମସ୍ତିଷ୍କର କାର୍ଯ୍ୟକ୍ଷମତା ଓ ସ୍ମୃତିଶକ୍ତି ଉପରେ ପ୍ରଭାବ ପକାଇପାରେ ବୋଲି ସୂଚିତ କରାଯାଇଛି। ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସର ଅଂଶ ଭାବେ ଅଧିକ ଚିନି ସେବନ କଲେ ହୃଦ୍ରୋଗ ଓ କିଛି ଦୀର୍ଘକାଳୀନ ରୋଗର ସମସ୍ୟା ମଧ୍ୟ ବଢ଼ିପାରେ।
କୌଣସି ଫାଇଦା ଅଛି କି?
ଯଦି ବୋବା ଟି, ଗ୍ରିନ୍ ଟି, ବ୍ଲାକ୍ ଟି କିମ୍ବା ଓଲୋଙ୍ଗ ଟି ଆଧାରିତ ହୁଏ ଏବଂ ତାହାରେ ଚିନିର ପରିମାଣ କମ୍ ଥାଏ, ତେବେ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ କିଛି ଲାଭ ପହଞ୍ଚାଇପାରେ। ଏହା ଶରୀରରେ ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମାଇବାରେ ସହାୟକ ହୋଇପାରେ। ତେବେ ଏହି ଲାଭ ମୁଖ୍ୟତଃ ଚା’ର ଗୁଣ ଉପରେ ନିର୍ଭର କରେ, ଅଧିକ ଚିନିଯୁକ୍ତ ବୋବା ଟି ଉପରେ ନୁହେଁ।
ବୋବା ଟିକୁ କିପରି କରିବେ ସ୍ୱାସ୍ଥ୍ୟକର?
ବୋବା ଟିକୁ ସ୍ୱାସ୍ଥ୍ୟକର କରିବାକୁ ଆପଣ ଚିନି ବଦଳରେ ମହୁ କିମ୍ବା ଖଜୁରୀ ପେଷ୍ଟ ଭଳି ପ୍ରାକୃତିକ ସ୍ୱିଟନର ବ୍ୟବହାର କରନ୍ତୁ। ଟାପିଓକା ପର୍ଲ୍ସ ବଦଳରେ ଚିଆ ସିଡ୍ସ, ସାଗୁଦାନା କିମ୍ବା ଫ୍ରୁଟ୍ ଜେଲି ବ୍ୟବହାର କରିପାରିବେ। ଫୁଲ୍ କ୍ରିମ୍ କ୍ଷୀର ପରିବର୍ତ୍ତେ ଆଲମଣ୍ଡ ମିଲ୍କ, ଓଟ୍ ମିଲ୍କ କିମ୍ବା ସୋୟା ମିଲ୍କ ବ୍ୟବହାର କଲେ କ୍ୟାଲୋରି କମିବ। ବାହାରେ ଅର୍ଡର କରୁଥିଲେ କମ୍ ଚିନି (Less Sugar) ବ୍ୟବହାର କରିବା ଏବଂ ଅତିରିକ୍ତ ସିରପ୍ ନ ଦେବାକୁ କହନ୍ତୁ। ତେବେ ବୋବା ଟିକୁ ସମୟେ ସମୟେ ଶୌକରେ ପିଇବା ସାଧାରଣତଃ ବଡ଼ ସମସ୍ୟା ସୃଷ୍ଟି କରେନାହିଁ। କିନ୍ତୁ ଏହାକୁ ସବୁଦିନ ଅଭ୍ୟାସରେ ପରିଣତ କଲେ ଅଧିକ ଚିନି ଓ କ୍ୟାଲୋରି ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ। ତେଣୁ ସନ୍ତୁଳିତ ଖାଦ୍ୟାଭ୍ୟାସ ଓ ସୀମିତ ପରିମାଣରେ ବୋବା ଟି ସେବନ କରିବା ହିଁ ସର୍ବୋତ୍ତମ ବିକଳ୍ପ।

