ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ସମୟ ରୈନା ଓ ରଣବୀର ଆଲାହବାଦିଆଙ୍କୁ ୩ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ ସମୟ ରୈନା ଏବଂ ୟୁଟ୍ୟୁବର୍ ରଣବୀର ଆଲାହବାଦିଆଙ୍କ ବିରୋଧରେ ସୁପ୍ରିମକୋର୍ଟ କଡ଼ା ମନୋଭାବ ଦେଖାଇଛନ୍ତି। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିନଥିବାରୁ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମୟ ରୈନା, ରଣବୀର ଆଲାହବାଦିଆ ଏବଂ ଆଶିଷ ଚଞ୍ଚଲାନୀଙ୍କ ଉପରେ ୩ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛନ୍ତି। ଅଦାଲତ ଦୁଇ ସପ୍ତାହ ମଧ୍ୟରେ ଏହି ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ସମୟ ରୈନା ଅଦାଲତକୁ ଭ୍ରମିତ କରିଛନ୍ତି ଏବଂ ଦିଆଯାଇଥିବା ଆଶ୍ୱାସନର ସ୍ପଷ୍ଟ ଉଲ୍ଲଂଘନ କରିଛନ୍ତି। ଅଦାଲତରେ ଅନୁପାଳନ ସତ୍ୟପାଠ ଦାଖଲ କରିଥିବା ଦାବି କରାଯାଇଥିଲେ ମଧ୍ୟ ପ୍ରକୃତରେ କୌଣସି ସତ୍ୟପାଠ ଦାଖଲ ହୋଇନଥିବା ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। ଏହା ସହିତ ମୁଖ୍ୟ ବିଚାରପତି କହିଥିଲେ, “ବିଦେଶରେ ବସି ସେମାନେ ଭାବୁଛନ୍ତି ଯେ ଅଦାଲତଙ୍କ ଅଧିକାର କ୍ଷେତ୍ରରୁ ବାହାରେ ଅଛନ୍ତି। ସେମାନଙ୍କୁ ଏବେ କଷ୍ଟ ଭୋଗିବାକୁ ଦିଅ। ଯଦି ଏହା ଅହଙ୍କାର ନୁହେଁ, ତେବେ ଅକ୍ସଫୋର୍ଡ ଡିକ୍ସନାରୀର ପରିଭାଷା ବଦଳାଇବାକୁ ପଡ଼ିବ।”
ଏହି ମାମଲା ‘ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ’ ଶୋ’ରେ ଦିବ୍ୟାଙ୍ଗ ଏବଂ ଦୁର୍ଲଭ ଜେନେଟିକ୍ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ କେନ୍ଦ୍ର କରି ରୁଜୁ ହୋଇଥିଲା। ପୂର୍ବରୁ ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ କମେଡିଆନଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ସହ ନିଜ ପ୍ଲାଟଫର୍ମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସଚେତନତା ଓ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦେଶର ଅନୁପାଳନ ନ ହେବାରୁ ସୁପ୍ରିମକୋର୍ଟ ଏଥର କଡ଼ା ପଦକ୍ଷେପ ନେଇଛନ୍ତି।

