ତିରୁପତିର ପ୍ରଥମ ଆରତୀକୁ ନେଇ ବିବାଦ: କର୍ଣ୍ଣାଟକ ସରକାରଙ୍କ ପ୍ରସ୍ତାବକୁ ବିରୋଧ କଲା TTD ବୋର୍ଡ
ତିରୁପତି: ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରଥମ ଆରତୀ କରିବାର ଅଧିକାରକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କର୍ଣ୍ଣାଟକ ସରକାର ପ୍ରଥମ ଆରତୀ ସମ୍ବନ୍ଧୀୟ ପ୍ରୋଟୋକଲ୍ରେ ପରିବର୍ତ୍ତନ କରି ବିଧାୟକ, ସାଂସଦ ଓ ଅନ୍ୟ ଜନପ୍ରତିନିଧିଙ୍କୁ ଏହି ଅଧିକାର ଦେବାକୁ ଚିନ୍ତା କରୁଥିବା ବେଳେ, ଏହାକୁ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ବୋର୍ଡ କଡ଼ା ବିରୋଧ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ପ୍ରଥମ ଆରତୀ କିଏ କରିବେ, ସେହି ନିଷ୍ପତ୍ତି କେବଳ TTDର ଅଧିକାର ମଧ୍ୟରେ ରହିଛି, କୌଣସି ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀ ଏହା ସ୍ଥିର କରିପାରିବେ ନାହିଁ।
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ପ୍ରସ୍ତାବ ଅନୁଯାୟୀ, ମୈସୁର ରାଜପରିବାର ପକ୍ଷରୁ ପ୍ରଥମ ଆରତୀ କରୁଥିବା ସ୍ୱତନ୍ତ୍ର ଅଧିକାରୀଙ୍କ ସ୍ଥାନରେ ଜନପ୍ରତିନିଧିମାନଙ୍କୁ ଏହି ସୁଯୋଗ ଦିଆଯାଇପାରେ। ତେବେ TTD ବୋର୍ଡ ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହିଛନ୍ତି ଯେ ଏହି ପାରମ୍ପରିକ ଅଧିକାର ମୈସୁର ରାଜପରିବାର ସହ ଜଡ଼ିତ ଏବଂ ଏହାକୁ ବଦଳାଇବାର ଅଧିକାର କୌଣସି ରାଜନୈତିକ ନେତାଙ୍କର ନାହିଁ। ସେ କହିଛନ୍ତି, “ତିରୁପତି ମନ୍ଦିର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ।”
ଏହି ପ୍ରସଙ୍ଗକୁ ନେଇ ବିଜେପି ମଧ୍ୟ କର୍ଣ୍ଣାଟକ ସରକାରଙ୍କୁ ସମାଲୋଚନା କରିଛି। ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି ଯେ, ଭଗବାନଙ୍କ ସମ୍ମୁଖରେ ସମସ୍ତ ଭକ୍ତ ସମାନ। ଏପରି ସ୍ଥିତିରେ ଜନପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ୍ ଆଣିବା ଅନାବଶ୍ୟକ ବିବାଦ ସୃଷ୍ଟି କରିବ। ଏହି ପ୍ରସ୍ତାବକୁ ନେଇ ଏବେ ରାଜନୈତିକ ଓ ଧାର୍ମିକ ମହଲରେ ଚର୍ଚ୍ଚା ଜୋର ଧରିଛି।

