ଆମେରିକାରେ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ନିତିଶ କୌଶଲ, FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ସାମିଲ
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ନିତିଶ କୌଶଲକୁ ଆମେରିକାରେ ଗିରଫ କରାଯାଇଛି। ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କ ସହ ସମନ୍ୱୟରେ ଏହି କାର୍ଯ୍ୟାନୁଷ୍ଠାନ କରିଛି। ନିତିଶ କୌଶଲ କୁଖ୍ୟାତ ଜଗୁ ଭଗବାନପୁର ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ଭାବେ ପରିଚିତ।
ହତ୍ୟା, ରଙ୍ଗଦାରୀ, ବେଆଇନ ଅସ୍ତ୍ର କାରବାର ସମେତ ଅନେକ ସଙ୍ଗୀନ ମାମଲାରେ ତା ନାମ ରହିଛି। ଆଇନର ଆଖିରେ ଧୂଳି ଦେଇ ସେ ବିଦେଶରେ ଲୁଚି ରହିଥିଲା। ଦୁଇ ଦିନ ପୂର୍ବରୁ ତାଙ୍କୁ FBIର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସାମିଲ କରାଯାଇଥିଲା। ଏହାପରେ ଆନ୍ତର୍ଜାତୀୟ ସ୍ତରରେ ତା ଉପରେ ନଜର ରଖାଯାଉଥିଲା ବେଳେ ଶେଷରେ ଆମେରିକାରେ ଧରାପଡ଼ିଛି ଗ୍ୟାଙ୍ଗଷ୍ଟାର ନିତିଶ ।
ଏବେ ନିତିଶ କୌଶଲଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ କି ନାହିଁ, ସେନେଇ ଆଲୋଚନା ଜୋର ଧରିଛି। ତଦନ୍ତକାରୀ ସଂସ୍ଥା ତାଙ୍କୁ ପଚରାଉଚରା କରି ଗ୍ୟାଙ୍ଗର ଆନ୍ତର୍ଜାତୀୟ ନେଟୱର୍କ ଏବଂ ଅପରାଧିକ କାରବାର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବେ ବୋଲି ଆଶା କରାଯାଉଛି। ଆମେରିକାରେ ତାଙ୍କ ଗିରଫକୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

