ବୃଦ୍ଧ ଓ ଅସୁସ୍ଥ କଏଦୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ୩ ମାସରେ ମଧ୍ୟରେ ଆସିପାରେ ନୂଆ ନୀତି
ନୂଆଦିଲ୍ଲୀ: ଦେଶର ଜେଲ୍ରେ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀଙ୍କ ପାଇଁ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ମାସ ମଧ୍ୟରେ ଏଭଳି କଏଦୀଙ୍କ ସମୟ ପୂର୍ବରୁ ମୁକ୍ତି ପାଇଁ ସ୍ପଷ୍ଟ ନୀତି ପ୍ରସ୍ତୁତ କରି ବିଜ୍ଞପ୍ତି ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ (NALSA) ଦାୟର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ୭୦ ବର୍ଷରୁ ଅଧିକ ବୟସ୍କ ଏବଂ ଗୁରୁତର ଅସୁସ୍ଥ କଏଦୀଙ୍କୁ ମାନବିକ ଆଧାରରେ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ ସମାନ ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଥିଲା।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି ମୁକ୍ତି ପାଇଁ ସମସ୍ତ ଆବେଦନ କେବଳ e-Prisons ପୋର୍ଟାଲ ମାଧ୍ୟମରେ ଗ୍ରହଣ କରାଯିବ। ଏହି ପୋର୍ଟାଲରେ ଆବେଦନ, ମେଡିକାଲ ଯାଞ୍ଚ, ଜେଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ, ମେଡିକାଲ ବୋର୍ଡର ସୁପାରିଶ, ସମୀକ୍ଷା କମିଟିର ମତ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କିତ ସମସ୍ତ ସୂଚନା ଡିଜିଟାଲ ଭାବେ ଉପଲବ୍ଧ ରହିବ। ଏହାଦ୍ୱାରା ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଏବଂ ଶୀଘ୍ର ହେବ ବୋଲି କୋର୍ଟ କହିଛନ୍ତି।

