Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଶିଦାବାଦରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ସ୍କୁଲ୍ ଭ୍ୟାନ୍‌କୁ ଧକ୍କା ଦେଲା ଲୋକାଲ୍ ଟ୍ରେନ୍, ଦୁଇ ଛାତ୍ରଛାତ୍ରୀଙ୍କ ସହ ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି। କର୍ଣ୍ଣସୁବର୍ଣ୍ଣ ରେଳ ଷ୍ଟେସନ୍ ନିକଟସ୍ଥ ଏକ ଲେଭେଲ୍ କ୍ରସିଂରେ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ କୁ ଲୋକାଲ୍ ଟ୍ରେନ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କିଛି ଆହତ ହୋଇଛନ୍ତି।

ସକାଳ ପ୍ରାୟ ୭ଟା ସମୟରେ ପୂର୍ବ ରେଳବାଇର ହାଉରା ଡିଭିଜନ ଅନ୍ତର୍ଗତ କର୍ଣ୍ଣସୁବର୍ଣ୍ଣ ଷ୍ଟେସନ୍ ନିକଟରେ ଏହି ଘଟଣା ଘଟିଥିଲା। ସ୍କୁଲ୍ ଭ୍ୟାନ୍‌ଟି ରେଳ ଫାଟକ ପାର ହେଉଥିବା ବେଳେ ଏକ ଲୋକାଲ୍ ଟ୍ରେନ୍ ଏହାକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ କର୍ଣ୍ଣସୁବର୍ଣ୍ଣ ବ୍ଲକ୍ ହସ୍ପିଟାଲକୁ ପଠାଇଥିଲେ।

ଦୁର୍ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ସମୟରେ ରେଳ ଫାଟକ ଖୋଲା ଥିଲା। ରେଳବାଇର କିଛି ଅଧିକାରୀ ମଧ୍ୟ ଏହି ସୂଚନାକୁ ସ୍ୱୀକାର କରିଛନ୍ତି। ଘଟଣା ପରେ ଡ୍ୟୁଟିରେ ଥିବା ଗେଟମ୍ୟାନଙ୍କୁ ଅଟକ ରଖାଯାଇଛି। ସେପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ୧୦ ସଦସ୍ୟ ବିଶିଷ୍ଟ ଏକ ତଦନ୍ତ କମିଟି ଗଠନ କରାଯାଇଛି। କମିଟି ରେଳ ଫାଟକର କାର୍ଯ୍ୟପ୍ରଣାଳୀ, କର୍ମଚାରୀଙ୍କ ଭୂମିକା ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ତଦନ୍ତ କରିବ। ମୃତକଙ୍କ ପରିବାର ପାଇଁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଘଟଣାକୁ ଦୁଃଖଦ ବୋଲି କହିବା ସହ ନିରପେକ୍ଷ ଓ ବ୍ୟାପକ ତଦନ୍ତ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ