ଆଜି ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍! ଜିନ୍ଦରୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଜି ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍କୁ ସବୁଜ ସଙ୍କେତ ଦେବେ। ଏହି ଟ୍ରେନ୍ ଜିନ୍ଦ-ସୋନିପତ ରୁଟରେ ଚଳାଚଳ କରିବ। ଏହାକୁ ଭାରତର ସ୍ୱଚ୍ଛ ଶକ୍ତି ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି | ସେ କହିଛନ୍ତି, ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି। ଏହା ଆତ୍ମନିର୍ଭର ଭାରତ ଓ ସ୍ଥାୟୀ ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ। ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହେବା ପରେ ଜର୍ମାନୀ, ଜାପାନ, ଚୀନ ଓ ଆମେରିକା ପରେ ଭାରତ ମଧ୍ୟ ହାଇଡ୍ରୋଜେନ୍ ଆଧାରିତ ରେଳ ପରିବହନ କ୍ଷେତ୍ରରେ ପ୍ରବେଶ କରିବ। ଏହି ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ଭବିଷ୍ୟତରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରି ରେଳ ଚଳାଚଳକୁ ଆହୁରି ବିସ୍ତାର କରିବାକୁ ଭାରତୀୟ ରେଳର ଯୋଜନା ରହିଛି।

