ଆନ୍ଧ୍ରପ୍ରଦେଶରେ ପୁଣି କରୋନା ଭୟ!୪ ଜଣଙ୍କ ମୃତ୍ୟୁ,୧୨ ସଂକ୍ରମିତ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ପୁଣିଥରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁସାରେ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍-୧୯ରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ମୃତକମାନେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନି ଜନିତ ଗୁରୁତର ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।
ସର୍ବାଧିକ ୮ଟି ସଂକ୍ରମଣ ମାମଲା କଡ଼ପା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଗୁଣ୍ଟୁରରୁ ୨ଟି ଏବଂ ବିଶାଖାପାଟଣା ଓ କାକିନାଡାରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି। ୨୦୨୬ ମସିହାରେ ରାଜ୍ୟର ପ୍ରଥମ କୋଭିଡ୍ ମାମଲା ଜୁନ୍ ୨୬ରେ କଡ଼ପାରେ ଚିହ୍ନଟ ହୋଇଥିଲା। ପରେ ଜୁଲାଇ ୧ରୁ ୧୬ ମଧ୍ୟରେ ଆଉ ୧୧ଟି ମାମଲା ରିପୋର୍ଟ ହୋଇଥିଲା। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଦୁଇଜଣ ଆକ୍ରାନ୍ତ ହୋଇଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ମାମଲାଗୁଡ଼ିକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣର କୌଣସି ସଙ୍କେତ ମିଳିନାହିଁ। ବର୍ତ୍ତମାନ ୩ ଜଣ ଘରୋଇ ଆଇସୋଲେସନରେ ରହିଥିବାବେଳେ, ୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଜ୍ୱର, କାଶ, ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଏପଟେ ଜୁଲାଇ ୧ରୁ ସାରା ଦେଶରେ ମୋଟ ୩୩୯ଟି କୋଭିଡ୍ ମାମଲା ରିପୋର୍ଟ ହୋଇଥିବାବେଳେ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି।

