ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ରାଜନୀତି ସରଗରମ! କେଉଁ ସବୁ ବିଲ୍ ପାରିତ ହେବ ଏଥର ଜାଣନ୍ତୁ…
ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତି କରିଛନ୍ତି। ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ସରକାର ପ୍ରଥମେ ଦୁଇଟି ପୂର୍ବରୁ ଉପସ୍ଥାପିତ ବିଲ୍ର ନିଷ୍ପତ୍ତିକୁ ପ୍ରାଥମିକତା ଦେବେ। ସେଗୁଡ଼ିକ ହେଲା ବିଦେଶୀ ଅନୁଦାନ(ନିୟନ୍ତ୍ରଣ) ସଂଶୋଧନ ବିଲ୍ (FCRA) ୨୦୨୬, ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ (VBSA) ବିଲ୍୨୦୨୫। ଏହା ସହିତ ସରକାର ଆଉ ୫ଟି ନୂଆ ବିଲ୍ ଆଣିବାକୁ ଯୋଜନା କରିଛନ୍ତି।
ଏହି ପାଞ୍ଚଟି ନୂଆ ବିଲ୍ ମଧ୍ୟରେ ରହିଛି ଆୟକର (ସଂଶୋଧନ) ବିଲ୍, ୨୦୨୬, ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍, ୨୦୨୬, ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ବିଲ୍, ୨୦୨୬ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିକାଶ ସଂଶୋଧନ ବିଲ୍, ୨୦୨୬। ତେବେ ଅଧିବେଶନ ପୂର୍ବରୁ ଜୁଲାଇ ୧୯ରେ ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ | ଯେଉଁଠାରେ ନିଜର ବିଧାନଗତ କାର୍ଯ୍ୟସୂଚୀ ଉପସ୍ଥାପନ କରିବେ।
ସେହିପରି ବିରୋଧୀ ଦଳମାନେ ମଧ୍ୟ ଅଧିବେଶନରେ ଉଠାଇବାକୁ ଥିବା ପ୍ରସଙ୍ଗ ନେଇ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି।
ବିରୋଧୀ ଦଳ ସରକାରଙ୍କ ଏକାଧିକ ପ୍ରସ୍ତାବିତ ବିଲ୍କୁ ସଂସଦରେ ବିରୋଧ କରିବାକୁ ସଙ୍କେତ ଦେଇଛି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଡିଲିମିଟେସନ ବିଲ୍ ପୁଣିଥରେ ଆସିଲେ ଦଳ ଏହାକୁ କଡ଼ା ବିରୋଧ କରିବ। ସେହିପରି VBSA ବିଲ୍, FCRA ସଂଶୋଧନ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ସଂଶୋଧନକୁ ମଧ୍ୟ କଂଗ୍ରେସ ବିରୋଧ କରିବ ବୋଲି କହିଛି। ଏହାଛଡ଼ା ବିରୋଧୀ ଦଳ NEET-UG ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗକୁ ମଧ୍ୟ ସଂସଦରେ ଉଠାଇବାକୁ ପ୍ରସ୍ତୁତି କରୁଛନ୍ତି। ଏହି କାରଣରୁ ଚଳିତ ବର୍ଷ ମୌସୁମୀ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି।

