ଭାରତର ପ୍ରାଚୀନ କଳାକୃତି ଫେରାଇବ ଅଷ୍ଟ୍ରେଲିଆ! ‘ବେଆଇନ ସମ୍ପଦ ରଖିବା ମଧ୍ୟ ଅପରାଧ’: ଟୋନି ବର୍କ
ଅଷ୍ଟ୍ରେଲିଆ: ଭାରତର ପ୍ରାଚୀନ କଳାକୃତିଗୁଡ଼ିକୁ ଫେରାଇବ ଅଷ୍ଟ୍ରେଲିଆ | ଏନେଇ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ସରକାର । ଦେଶର ଗୃହ ଓ କଳା ମନ୍ତ୍ରୀ ଟୋନି ବର୍କ କହିଛନ୍ତି, ଅବୈଧ ଭାବେ ହାସଲ କରାଯାଇଥିବା କୌଣସି କଳାକୃତିକୁ ସଂଗ୍ରହାଳୟ କିମ୍ବା ଅନ୍ୟ ସଂସ୍ଥାରେ ରଖିବା ମଧ୍ୟ ଏକ ପ୍ରକାର ଚୋରି। ଭାରତ ସରକାରଙ୍କ ଅନୁରୋଧକୁ ଅପେକ୍ଷା ନକରି, ଅଷ୍ଟ୍ରେଲିଆ ନିଜେ ଚିହ୍ନଟ କରି ଏଭଳି କଳାକୃତିଗୁଡ଼ିକୁ ଫେରାଇବା ପାଇଁ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଟୋନି ବର୍କ ଆହୁରି କହିଛନ୍ତିଯେ, ବିଶ୍ୱର କୌଣସି ଦେଶ ଚୋରିକୁ ଗ୍ରହଣଯୋଗ୍ୟ ବୋଲି ମନେ କରିବା ଉଚିତ୍ ନୁହେଁ। କୌଣସି କଳାକୃତି ଯଦି ବୈଧ ଉପାୟରେ ପ୍ରାପ୍ତ ହୋଇନଥାଏ, ତାହାକୁ ନିଜ ପାଖରେ ରଖିବା ମଧ୍ୟ ଚୋରିରେ ଗଣାଯାଏ | ସେ ଉଦାହରଣ ଦେଇ କହିଥିଲେ, ପୂର୍ବରୁ ଅଷ୍ଟ୍ରେଲିଆର ଜାତୀୟ ସଂଗ୍ରହାଳୟରେ ଥିବା ଏକ ଶିବ ମୂର୍ତ୍ତିର ମାଲିକାନା ବୈଧ ନଥିବା ଜଣାପଡ଼ିବା ପରେ ତାହାକୁ ଭାରତକୁ ଫେରାଇ ଦିଆଯାଇଥିଲା। ସମ୍ପ୍ରତି ଫେରାଯାଉଥିବା ଅନ୍ୟ କଳାକୃତିଗୁଡ଼ିକ ମଧ୍ୟ ସେହି ନୀତିର ଅଂଶ ବୋଲି ସେ କହିଛନ୍ତି।
ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ଆହୁରି ଦୃଢ଼ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ଟୋନି ବର୍କ ମତ ରଖିଛନ୍ତି। ସେ କହିଛନ୍ତି, ବନ୍ଧୁ ରାଷ୍ଟ୍ର ଭାରତ ପ୍ରତି ବିଶ୍ୱାସ ଓ ସମ୍ମାନ ପ୍ରଦର୍ଶନ କରିବାର ଏହା ଏକ ବାସ୍ତବ ଉଦାହରଣ। ଏହାଛଡ଼ା ସେ ଭାରତୀୟ ସିନେମା ପ୍ରତି ନିଜର ଭଲପାଇବା ବିଷୟରେ ମଧ୍ୟ କହିଥିଲେ। ଆମିର ଖାନଙ୍କ ‘ଲଗାନ’ ଚଳଚ୍ଚିତ୍ରକୁ ସେ ଅନେକ ଥର ଦେଖିଥିବା ବେଳେ ତାମିଲ ଚଳଚ୍ଚିତ୍ର ‘ଅନ୍ବେ ଶିବମ’କୁ ନିଜର ସବୁଠୁ ପସନ୍ଦର ସିନେମା ବୋଲି ଉଲ୍ଲେଖ କରିଛନ୍ତି।

