ରାଜସ୍ଥାନର ମଦ୍ରାସାରେ ସେପ୍ଟିକ୍ ଟାଙ୍କି ସଫା ବେଳେ ଅଘଟଣ; ବିଷାକ୍ତ ଗ୍ୟାସରେ ଜଣେ ଛାତ୍ରୀଙ୍କ ମୃତ୍ୟୁ, ୧୨ ଆହତ
ରାଜସ୍ଥାନ: ରାଜସ୍ଥାନର ଡିଗ୍ ଜିଲ୍ଲାର ମଦ୍ରାସାରେ ସେପ୍ଟିକ୍ ଟାଙ୍କି ସଫା କରିବା ବେଳେ ଏକ ଦୁର୍ଘଟଣାରେ ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଏହି ଘଟଣା ଗୋପାଳଗଡ଼ ଅଞ୍ଚଳର ମିଲ୍ ମଦ୍ରାସାରେ ଘଟିଛି। ଯେଉଁଠାରେ ଛାତ୍ରମାନଙ୍କୁ ସଫେଇ କାମ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସେପ୍ଟିକ୍ ଟ୍ୟାଙ୍କର ସ୍ଲାବ୍ ଭାଙ୍ଗିଯାଇଥିଲା। ପରେ ମେସିନ୍ ସାହାଯ୍ୟରେ ଟ୍ୟାଙ୍କ ସଫା କରାଯାଇଥିଲେ ମଧ୍ୟ କିଛି ଅଳିଆ ଭିତରେ ରହିଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ କିଛି ଛାତ୍ରୀ ଅବଶିଷ୍ଟ ଅଳିଆ ବାହାର କରିବା ପାଇଁ ଟ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ ସେମାନେ ଅଚେତ ହୋଇପଡ଼ିଥିଲେ। ପ୍ରଥମ ଛାତ୍ରୀମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଛାତ୍ରୀମାନେ ମଧ୍ୟ କୌଣସି ସୁରକ୍ଷା ସାମଗ୍ରୀ ବିନା ଟ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ଖବର ପାଇ ପରେ ମଦ୍ରାସା କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆହତ ଛାତ୍ରମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ମୃତ ଛାତ୍ରୀ ଜଣକ ହରିୟାଣାର ସାକ୍ରାସ ଗାଁର ବାସିନ୍ଦା ରୋହିନ୍ ବୋଲି ପୋଲିସ ଚିହ୍ନଟ କରିଛି | ଘଟଣା ପରେ ଜିଲ୍ଲାପାଳ ମୟଙ୍କ ମନୀଷ ଏବଂ ଏସ୍ପି ଶରଣ ଗୋପୀନାଥ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଏସ୍ପି କହିଛନ୍ତି, ଏଭଳି ବିପଦପୂର୍ଣ୍ଣ କାମରେ ଛାତ୍ରୀମାନଙ୍କୁ ନିୟୋଜିତ କରିବା ଗୁରୁତର ଅବହେଳା ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

