Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମମନ୍ଦିର ଦାନ ଚୋରିର ଖୁଲାସା! ଶୌଚାଳୟରେ ମିଳିଥିବା ୪୦ ହଜାର ଟଙ୍କାରୁ ଖୋଲିଲା ୮୦ ଲକ୍ଷର କାଣ୍ଡ

ଲକ୍ଷ୍ନୌ: ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଦାନ ଅର୍ଥ ହେରଫେର ମାମଲାରେ ଏକ ବଡ ମୋଡ଼ ଆସିଛି | ତଦନ୍ତକାରୀଙ୍କୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ | ସୂଚନା ଅନୁସାରେ , ମନ୍ଦିର ପରିସରର ଏକ ଶୌଚାଳୟରେ ଲୁଚାଇ ରଖାଯାଇଥିବା ୪୦ ହଜାର ଟଙ୍କା ମିଳିବା ପରେ ଏହି ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଜଣେ ସୁରକ୍ଷା କର୍ମୀ ଏହି ନଗଦ ଟଙ୍କା ଦେଖି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ସୂଚନା ଦେଇଥିଲେ। ଏହାପରେ ଟ୍ରଷ୍ଟର ବରିଷ୍ଠ କର୍ମକର୍ତ୍ତାମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ଅନ୍ତରୀଣ ତଦନ୍ତ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜୁନ୍ ୪ ତାରିଖରେ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା।

ଏହାପରେ ପୋଲିସ ଦାନ ଗଣନା କେନ୍ଦ୍ର ସହ ଜଡ଼ିତ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ତଦନ୍ତରେ ମିଳିଥିବା ସୁରାଗ ଆଧାରରେ ଅଯୋଧ୍ୟା ସମେତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଅଭିଯୋଗ ରୁଜୁ ହେବାର ମାତ୍ର ୧୭ ଘଣ୍ଟା ମଧ୍ୟରେ ପୋଲିସ ଏବଂ ଟ୍ରଷ୍ଟର ମିଳିତ ଟିମ୍ ପ୍ରାୟ ୮୦ ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଏହାପରେ ମନ୍ଦିରର ଦାନ ସଂଗ୍ରହ ଓ ଗଣନା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।

ଘଟଣାର ତଦନ୍ତ ବର୍ତ୍ତମାନ ୩ ସଦସ୍ୟ ବିଶିଷ୍ଟ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) କରୁଛି। କଥିତ ଦାନ ହଡ଼ପର ପ୍ରକ୍ରିୟା ଓ ଏଥିରେ କାହାର ସମ୍ପୃକ୍ତି ରହିଛି, ତାହାର ଖୋଳତାଡ଼ ଚାଲିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅନୁରୋଧକ୍ରମେ ଉତ୍ତର ପ୍ରଦେଶ ସରକାର ଜୁନ୍ ୧୩ ତାରିଖରେ ଏସ୍‌ଆଇଟି ଗଠନ କରିଥିଲେ। ପ୍ରଥମେ ୧୫ ଦିନର ସମୟ ଦିଆଯାଇଥିଲେ ମଧ୍ୟ ପରେ ତାହାକୁ ଆଉ ୧୫ ଦିନ ବଢ଼ାଯାଇଥିଲା। ସୂତ୍ର ଅନୁସାରେ, ଏସ୍‌ଆଇଟି ଖୁବ୍ ଶୀଘ୍ର ସରକାରଙ୍କୁ ତାହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିପାରେ। ରିପୋର୍ଟ ଆଧାରରେ ମନ୍ଦିରର ଦାନ ସଂଗ୍ରହ ଓ ଗଣନା ପ୍ରଣାଳୀରେ ବଡ଼ ପରିବର୍ତ୍ତନ ସହ ଦାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories