ପ୍ରତିଦିନ ଅଦା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ? ଆପଣଙ୍କ ଶରୀର ଉପରେ କି ପ୍ରଭାବ ପକାଇବ, ଜାଣନ୍ତୁ…
ଅଦା କେବଳ ରୋଷେଇର ସ୍ୱାଦ ବଢ଼ାଉଥିବା ଏକ ମସଲା ନୁହେଁ, ବରଂ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ପ୍ରାକୃତିକ ଔଷଧ ଭାବେ ମଧ୍ୟ ପରିଚିତ। ଶତାବ୍ଦୀ ଧରି ପାରମ୍ପରିକ ଚିକିତ୍ସାରେ ଅଦାର ବ୍ୟବହାର ହୋଇଆସୁଛି। ଏଥିରେ ଥିବା ଜିଞ୍ଜେରଲ୍ (Gingerol), ଶୋଗାଓଲ୍ (Shogaol) ଏବଂ ଜିଙ୍ଗିବେରିନ୍ (Zingiberene) ଭଳି ପ୍ରାକୃତିକ ଉପାଦାନ ଶରୀରକୁ ବିଭିନ୍ନ ଉପାୟରେ ସୁସ୍ଥ ରଖିବାରେ ସହାୟକ ବୋଲି ଗବେଷଣାରୁ ଜଣାପଡ଼ିଛି।
ତେବେ ପ୍ରତିଦିନ ଅଳ୍ପ ପରିମାଣର ଅଦା ଖାଇଲେ ବାନ୍ତି, ବାନ୍ତିଭାବ ଓ ବଦହଜମି ଭଳି ସମସ୍ୟାରୁ ଆରାମ ମିଳିଥାଏ । ଏହା ଶରୀରରେ ପ୍ରଦାହ କମାଇବା, ଗଣ୍ଠି ଯନ୍ତ୍ରଣା ହ୍ରାସ କରିବା ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ବୋଲି ମନେ କରାଯାଏ। ଏଥିସହ ଏଥିରେ ଥିବା ଶୋଗାଓଲ୍ ନାମକ ଉପାଦାନ ଶରୀରର ଯନ୍ତ୍ରଣା କମାଇବା ସହ ହୃଦ୍ରୋଗ ପରି କିଛି ଗୁରୁତର ରୋଗର ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ । ଏହାସହ ନିୟମିତ ଅଦା ସେବନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, ମସ୍ତିଷ୍କର କାର୍ଯ୍ୟକ୍ଷମତାରେ ସୁଧାର ଆଣିବା ଏବଂ ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇପାରେ।
ତେବେ ଅଦା କୌଣସି ଚମତ୍କାରୀ ଔଷଧ ନୁହେଁ ଏବଂ ଏହା ଗୁରୁତର ରୋଗର ଚିକିତ୍ସାର ବିକଳ୍ପ ମଧ୍ୟ ନୁହେଁ। ମାସେ ଧରି ପ୍ରତିଦିନ ସୀମିତ ପରିମାଣରେ ଅଦା ଖାଇଲେ ହଜମ, ରୋଗ ପ୍ରତିରୋଧକ ଶକ୍ତି ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ସକାରାତ୍ମକ ପ୍ରଭାବ ପଡ଼ିପାରେ। ତେବେ ଯେଉଁମାନେ ରକ୍ତ ପତଳା କରିବା ଔଷଧ ସେବନ କରୁଛନ୍ତି କିମ୍ବା କୌଣସି ଗୁରୁତର ରୋଗରେ ପୀଡ଼ିତ, ସେମାନେ ନିୟମିତ ଅଦା ସେବନ ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

