Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲା! ‘ଏହାକୁ ରାଜନୀତିକ ରଙ୍ଗ ଦିଅନ୍ତୁ ନାହିଁ’: ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ : ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଅର୍ଥ ଆତ୍ମସାତ୍‌ ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ମାମଲାକୁ ରାଜନୀତିକ ରୂପ ନ ଦେବାକୁ ସତର୍କ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କୁ ପଚାରିଛନ୍ତି ଯେ, ପ୍ରାରମ୍ଭିକ ତଦନ୍ତ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT)କୁ ପୁଣି ଗଠନ କରାଯାଇପାରିବ କି ନାହିଁ। ଏହି ମାମଲାରେ ଆବେଦନକାରୀମାନେ ସିବିଆଇ ତଦନ୍ତ ସହ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆର୍ଥିକ ଅଡିଟ୍‌ ଦାବି କରିଛନ୍ତି।

ଶୁଣାଣି ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହେତା କୋର୍ଟଙ୍କୁ ଜଣାଇଥିଲେ ଯେ, ମାମଲା ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି ଏବଂ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଏହି ମାମଲାରେ ଗିରଫ ମଧ୍ୟ କରାଯାଇଛି। ସେ କହିଥିଲେ, ପ୍ରଥମେ SIT ମାମଲାର ସତ୍ୟତା ଯାଞ୍ଚ କରିଥିଲା ଏବଂ ଏକ ସଞ୍ଜ୍ଞେୟ ଅପରାଧ ଘଟିଥିବା ମନେ କରିବା ପରେ ବର୍ତ୍ତମାନ ପୋଲିସ ନିୟମିତ ତଦନ୍ତ ଜାରି ରଖିଛି। ଏହାପରେ ଖଣ୍ଡପୀଠ କହିଥିଲେ ଯେ, ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ SITକୁ ପୁନର୍ଗଠନ କରି ତଦନ୍ତ ଆଗକୁ ବଢାଯାଇପାରିବ ।

ପ୍ରଧାନ ବିଚାରପତି ସ୍ପଷ୍ଟ କରି କହିଥିଲେ ଯେ, ଏହି ମାମଲାକୁ ରାଜନୀତିକ ବିବାଦରେ ପରିଣତ କରାଯିବା ଉଚିତ୍‌ ନୁହେଁ ଏବଂ ତଦନ୍ତ ନିରପେକ୍ଷ ଭାବେ ତାହାର ଯୁକ୍ତିସଙ୍ଗତ ପରିଣତି ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ। ଖଣ୍ଡପୀଠ କହିଛନ୍ତି ଯେ, ଦାଖଲ ହୋଇଥିବା ଷ୍ଟାଟସ୍‌ ରିପୋର୍ଟକୁ ଯାଞ୍ଚ କରିବା ପାଇଁ କିଛି ସମୟ ଆବଶ୍ୟକ, ତେଣୁ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ କରାଯିବ । ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୫ରେ ଦାନ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଏଫ୍‌ଆଇଆର୍‌ ରୁଜୁ ହେବା ପରେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ପୂର୍ବତନ ଚାଳକ ରାମାଶଙ୍କର ମିଶ୍ର ମଧ୍ୟ ରହିଛନ୍ତି। ପରେ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ