ବିଶ୍ୱ ବଜାରରେ ବଡ଼ ଝଟକା: ଶେୟାର ବଜାର ପତନ! କାରବାର ଉପରେ ନିବେଶକଙ୍କ ନଜର
ନୂଆଦିଲ୍ଲୀ : ସୋମବାର ବିଶ୍ୱ ଶେୟାର ବଜାରରେ ଦେଖାଦେଇଥିବା ବଡ଼ ଧରଣର ପତନର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ସ୍ପଷ୍ଟ ଭାବେ ପଡ଼ିଥିଲା। ଭାରତ ସହ ଜାପାନ, ଦକ୍ଷିଣ କୋରିଆ ଓ ପାକିସ୍ତାନର ପ୍ରମୁଖ ଶେୟାର ସୂଚକାଙ୍କରେ ଜୋରଦାର ଗିରାବଟ ଦେଖିବାକୁ ମିଳିଥିଲା। ଏହା ପରେ ନିବେଶକଙ୍କ ନଜର ଆଜିର କାରବାର ଉପରେ ରହିଛି। ବଜାର ସ୍ଥିର ହେବ ନା ଅସ୍ଥିରତା ଜାରି ରହିବ, ତାହାକୁ ନେଇ ଚର୍ଚ୍ଚା ବଢ଼ିଛି।
ସୋମବାର କାରବାର ଆରମ୍ଭରୁ ବିଏସଇ ସେନ୍ସେକ୍ସ ୭୦୦ରୁ ଅଧିକ ପଏଣ୍ଟ ଖସିଥିବାବେଳେ ନିଫ୍ଟି ମଧ୍ୟ ପ୍ରାୟ ୧୮୦ ପଏଣ୍ଟ ହ୍ରାସ ପାଇଥିଲା। ଜାପାନର ନିକ୍କେଇ, ଦକ୍ଷିଣ କୋରିଆର କୋସ୍ପି ଓ ପାକିସ୍ତାନର କେଏସଇ-୧୦୦ ସୂଚକାଙ୍କରେ ମଧ୍ୟ ବଡ଼ ଧରଣର ପତନ ଦେଖାଯାଇଥିଲା। ବଜାର ବିଶେଷଜ୍ଞଙ୍କ ମତରେ, ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା, ଅଶୋଧିତ ତୈଳ ଦର ବୃଦ୍ଧି, ବିଦେଶୀ ନିବେଶକଙ୍କ ବିକ୍ରି ଚାପ ଏବଂ କିଛି ବଡ଼ ବ୍ୟାଙ୍କର ଆଶାଠାରୁ ଦୁର୍ବଳ ଆର୍ଥିକ ଫଳାଫଳ ବଜାର ଉପରେ ଚାପ ସୃଷ୍ଟି କରିଛି।
ବିଶ୍ଳେଷକଙ୍କ କହିବା ଅନୁସାରେ , ଯଦି ବିଶ୍ୱ ବଜାରରେ ସ୍ଥିରତା ଫେରେ ଏବଂ ତୈଳ ଦର ନିୟନ୍ତ୍ରଣରେ ରହେ, ତେବେ ଭାରତୀୟ ବଜାରରେ କିଛି ମାତ୍ରାରେ ସୁଧାର ଦେଖିବାକୁ ମିଳିପାରେ। କିନ୍ତୁ ଭୂ-ରାଜନୈତିକ ପରିସ୍ଥିତି ଆହୁରି ଜଟିଳ ହେଲେ ବଜାରରେ ଅସ୍ଥିରତା ଜାରି ରହିବାର ଆଶଙ୍କା ରହିଛି। ତେଣୁ ନିବେଶକମାନେ ବିଶ୍ୱ ବଜାରର ପ୍ରବୃତ୍ତି, ବିଦେଶୀ ନିବେଶକଙ୍କ କାରବାର ଏବଂ ଅଶୋଧିତ ତୈଳ ଦର ଉପରେ ନଜର ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

