CJP ଆନ୍ଦୋଳନକୁ ନେଇ ସେଲିବ୍ରେଟିଙ୍କ ସମର୍ଥନ; ଛାତ୍ରଙ୍କ କଥା ଶୁଣିବାକୁ ସରକାରଙ୍କୁ ଆହ୍ୱାନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ CJP (Cockroach Janta Party) ଆନ୍ଦୋଳନକୁ ନେଇ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଘଟିଥିବା ହିଂସାତ୍ମକ ଘଟଣା ପରେ ବଲିଉଡ୍ର ଅନେକ ଅଭିନେତା ଓ କଳାକାର ଛାତ୍ର ଆନ୍ଦୋଳନକାରୀଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ଦାବିକୁ ଗୁରୁତ୍ୱର ସହ ଶୁଣିବା ସହ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବାକୁ ସରକାରଙ୍କୁ ଆହ୍ୱାନ କରିଛନ୍ତି।
ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ ଦୋସାଞ୍ଜ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦୁଃଖଦ ବୋଲି କହି ଛାତ୍ରଛାତ୍ରୀଙ୍କ ସହ ଏଭଳି ବ୍ୟବହାର ହେବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି, ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର, ତେଣୁ ଛାତ୍ରମାନଙ୍କ ଅଭିଯୋଗକୁ ସରକାର ଗୁରୁତ୍ୱର ସହ ଶୁଣିବା ଆବଶ୍ୟକ। ସେହିପରି ବଲିଓଡ଼ ଅଭିନେତା ରିତେଶ ଦେଶମୁଖ ଓ ଜେନେଲିଆ ଡି’ସୁଜା ମଧ୍ୟ ଛାତ୍ରମାନଙ୍କ ସହ ଏକାତ୍ମତା ପ୍ରକାଶ କରି ସେମାନଙ୍କ ସ୍ୱରକୁ ଶୁଣିବାକୁ ଆହ୍ୱାନ କରିଛନ୍ତି। ଅନ୍ୟପଟେ ଅଭିନେତ୍ରୀ ଶବାନା ଆଜମୀ କହିଛନ୍ତି ଯେ, ସେମାନଙ୍କ ପ୍ରତିବାଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ସମ୍ବିଧାନ ପ୍ରଦତ୍ତ ଅଧିକାର ଅନୁସାରେ ଭାବେ ହେଉଛି।
ଏହାସହ ହୁମା କୁରେଶୀ, ନନ୍ଦିତା ଦାସ, ସୁତପା ସିକଦର, ଭୂମି ପେଡନେକର, ସୋନାକ୍ଷୀ ସିହ୍ନା, ସୋନି ରାଜଦାନ, ଜିନତ ଅମାନ, ଅଭୟ ଦେଓଲ, ନସିରୁଦ୍ଦିନ ଶାହ, ରତ୍ନା ପାଠକ ଶାହ ଓ ଅନ୍ୟାନ୍ୟ କଳାକାରମାନେ ମଧ୍ୟ ଶାନ୍ତିପୂର୍ଣ୍ଣ ପ୍ରତିବାଦର ସମର୍ଥନ କରିଛନ୍ତି। ସେମାନେ ଗଣତନ୍ତ୍ରରେ ଗଠନମୂଳକ ମତଭେଦ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଗୁରୁତ୍ୱ ଉଲ୍ଲେଖ କରିବା ସହ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସମ୍ମାନ ଦେବାକୁ ଆହ୍ୱାନ କରିଛନ୍ତି।

