ଦିଲ୍ଲୀରେ ଡବଲ ପ୍ରତିବାଦ! ଜନ୍ତରମନ୍ତରରେ CJP ଆନ୍ଦୋଳନ, ଅନ୍ୟପଟେ ଶମ୍ଭୁ ସୀମାରେ କୃଷକ ସଂଗଠନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଦୁଇଟି ବଡ଼ ପ୍ରତିବାଦକୁ ନେଇ ପରିସ୍ଥିତି ସରଗରମ ହୋଇଉଠିଛି। ଗୋଟିଏପଟ ଜନ୍ତରମନ୍ତରରେ କକରୋଚ୍ ଜନତା ପାର୍ଟି (CJP)ର ଆନ୍ଦୋଳନ ଜାରି ରହିଥିବା ବେଳେ, ଅନ୍ୟପଟେ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ବିରୋଧରେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦୁଇଟି ଆନ୍ଦୋଳନକୁ ନେଇ ପ୍ରଶାସନ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏପଟେ ଗତକାଲିର ବିକ୍ଷୋଭ ପରେ ମଧ୍ୟ CJP ସମର୍ଥକମାନେ ଜନ୍ତରମନ୍ତରରେ ଧାରଣା ଦେବା ଜାରି ରଖିଛନ୍ତି। ଦଳର ସଂସ୍ଥାପକ ଅଭିଜିତ ଦିପକେ କହିଛନ୍ତି ଯେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ | ସେପଟେ ‘ଦେଶ ବଚାଓ ମୋର୍ଚ୍ଚା’ର ଆହ୍ୱାନରେ କୃଷକମାନେ ଶମ୍ଭୁ ସୀମା ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରସ୍ତାବିତ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତିକୁ ବାତିଲ କରିବା ସହ କୃଷି ଓ ଦୁଗ୍ଧ ଶିଳ୍ପର ସୁରକ୍ଷା ଦାବିରେ ସେମାନେ ଏହି ପ୍ରତିବାଦ ଆରମ୍ଭ କରିଛନ୍ତି ।
ତେବେ ଏହି ଦୁଇଟି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଜନ୍ତରମନ୍ତର ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୬୩ ଲାଗୁ କରାଯାଇଛି। ସୀମାରେ ବ୍ୟାରିକେଡ୍ ସ୍ଥାପନ କରାଯାଇ ଅତ୍ୟଧିକ ପୋଲିସ ମୁତୟନ କରାଯାଇଛି। କୃଷକ ନେତା ସରବଣ ସିଂହ ପନ୍ଧେରଙ୍କ ସହ ବିଭିନ୍ନ କୃଷକ ସଂଗଠନର ନେତାମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

