ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷାର ତାଣ୍ଡବ! ବନ୍ୟା-ଭୂସ୍ଖଳନରେ ୨୨ ମୃତ, ୩୦ ନିଖୋଜ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବିଶେଷକରି ପୁଞ୍ଚ୍ ଓ ରାଜୌରୀ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଆଜି ଏକ ପରିବାରର ୭ ଜଣ ସଦସ୍ୟ ବନ୍ୟାପାଣିରେ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି।
ସବୁଠାରୁ ଅଧିକ କ୍ଷୟକ୍ଷତି ପୁଞ୍ଚ୍ ଜିଲ୍ଲାର ସୁରନକୋଟ୍ ଅଞ୍ଚଳରେ ଘଟିଛି। ଭୂସ୍ଖଳନରେ ଏକ ଘର ସମ୍ପୂର୍ଣ୍ଣ ମାଟିତଳେ ପୋତି ହୋଇଯାଇଥିବାବେଳେ ନୂନାବାଣ୍ଡି ଓ ସାଙ୍ଗଲେୟାନୀ ଗାଁରେ ଘର ଭୁଶୁଡ଼ି ପଡ଼ି ଅନେକ ଜୀବନହାନି ଘଟିଛି। ବନ୍ୟାର ପ୍ରଖର ସ୍ରୋତରେ ଅନେକ ଦୋକାନ ଓ ସମ୍ପତ୍ତି ଭାସିଯାଇଛି। ଏହା ସହ ପ୍ରଭାବିତ ଅଞ୍ଚଳରେ ବିଜୁଳି ଓ ମୋବାଇଲ୍ ଯୋଗାଯୋଗ ସେବା ମଧ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି।
ପରିସ୍ଥିତିକୁ ଦେଖି ପୁଲିସ, ଭାରତୀୟ ସେନା ଏବଂ ଉଦ୍ଧାରକାରୀ ଟିମ୍ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ରାହାତ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପାଣିପାଗ ବିଭାଗ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବାର ସତର୍କବାଣୀ ଜାରି କରିଥିବାରୁ ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

