ଆଇସିୟୁରେ ମେଗାଷ୍ଟାର ଅମିତାଭ ବଚ୍ଚନ; ଚିନ୍ତାରେ ଫ୍ୟାନ୍ସ
ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ୮୩ ବର୍ଷୀୟ ଏହି ବରିଷ୍ଠ ଅଭିନେତା ସର୍ଜରି ପରେ ଆଇସିୟୁରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ନିଜ ଅସୁସ୍ଥତା ସମ୍ପର୍କରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଦେଇଥିବା ପରେ ତାଙ୍କ ଅନୁରାଗୀମାନଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଯାଇଛି।
ତେବେ କେଉଁ କାରଣରୁ ତାଙ୍କର ସର୍ଜରି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେନେଇ ଡାକ୍ତର କିମ୍ବା ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସୂଚନା ଜାରି କରାଯାଇନାହିଁ। କିନ୍ତୁ ତାଙ୍କ ଚିକିତ୍ସାକୁ ନେଇ ସିନେ ମହଲରେ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ, ଦେଶ ଓ ବିଦେଶରୁ ଅସଂଖ୍ୟ ପ୍ରଶଂସକ ଏବଂ ସିନେ ଜଗତର ବହୁ ବ୍ୟକ୍ତିତ୍ୱ ସୋସିଆଲ ମିଡିଆ ମାଧ୍ୟମରେ ଅମିତାଭ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମେଗାଷ୍ଟାରଙ୍କ ସ୍ୱାସ୍ଥ୍ୟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ, ସେ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ସାଧାରଣ ଜୀବନକୁ ଫେରିବେ ବୋଲି ଫ୍ୟାନ୍ସ ମାନେ ପ୍ରାର୍ଥନା କରୁଛନ୍ତି।

