‘ଛାତ୍ରଙ୍କୁ କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ’: ନିଟ୍ ପ୍ରତିବାଦକୁ ନେଇ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍
ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ କେନ୍ଦ୍ର କରି ଦିଲ୍ଲୀରେ ଚାଲିଥିବା ପ୍ରତିବାଦ ଓ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଲୋକସଭା ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୌନ ରହିଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ଗତକାଲିର ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ କ୍ଷମା ମାଗିବା ସହ ସେମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ଉଚିତ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତିଯେ, ଦେଶର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ଗୁରୁତର ସମସ୍ୟାରେ ରହିଛି ଏବଂ ଛାତ୍ରମାନେ ସେହି ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ବିରୋଧୀଙ୍କ ମତକୁ ଅଣଦେଖା କରି ସରକାର ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ କରାଇଛନ୍ତି। ସେ କହିଛନ୍ତି, ଛାତ୍ରମାନଙ୍କ ଭବିଷ୍ୟତ ସହ ରାଜନୀତି କରିବା ପରିବର୍ତ୍ତେ ସରକାର ସେମାନଙ୍କ ଦାବି ଉପରେ ଗୁରୁତ୍ୱ ଦେବା ଉଚିତ।
ସୂଚନାଯୋଗ୍ୟ, ସୋମବାର କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ‘ସଂସଦ ଚଲୋ’ ପଦଯାତ୍ରା ସମୟରେ ପ୍ରଦର୍ଶନକାରୀ ଓ ଦିଲ୍ଲୀ ପୁଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ପକ୍ଷରୁ ଲାଠିଚାର୍ଜ ଓ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଥିବା ବେଳେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଥିଲେ। ପୁଲିସର ଦାବି ଅନୁଯାୟୀ, ୧୧୮ରୁ ଅଧିକ ପୁଲିସ କର୍ମଚାରୀ ଏବଂ ପ୍ରାୟ ୬୦ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ପୁଲିସ ଆହୁରି ଅଭିଯୋଗ କରିଛି ଯେ, କିଛି ପ୍ରଦର୍ଶନକାରୀ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ସହ ପଥରମାଡ଼ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ। ସେପଟେ କକ୍ରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦିପକେ ଅଭିଯୋଗ କରିଛନ୍ତିଯେ, ପୋଲିସର ଲାଠିଚାର୍ଜର ଅନେକ ଛାତ୍ର ସହିତ ମହିଳା ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି |

