Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ! ମାଆ ଓ ଦୁଇ ଝିଅ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଲୋଧି କଲୋନୀରେ ଆଜି ସକାଳେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିକେ ଦତ୍ତ କଲୋନୀର ଏକ ତିନି ମହଲା ବିଶିଷ୍ଟ ଘରର ତୃତୀୟ ମହଲାରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ଜୀବନ ଯାଇଛି । ଏହି ଅଗ୍ନିକାଣ୍ଡ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଦିଲ୍ଲୀ ଅଗ୍ନିଶମ ବିଭାଗର କହିବା ଅନୁସାରେ, ସକାଳ ପ୍ରାୟ ୧୦ଟା ୨୧ ମିନିଟ୍‌ରେ ବିକେ ଦତ୍ତ କଲୋନୀର ଚାୱଲା ସ୍ୱିଟ୍ସ ନିକଟରେ ଥିବା ଘରରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିଥିଲେ। ତେବେ ତୃତୀୟ ମହଲାରେ ଖୋଜାଖୋଜି ବେଳେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କ ମୃତଦେହ ଦେଖିବାକୁ ମିଳିଥିଲା | ଦେଖିବା ପରେ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସକାଳ ପ୍ରାୟ ୧୧ଟା ୧୦ ମିନିଟ୍ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଥିଲା ଏବଂ ପରେ କୁଲିଂ ଅପରେସନ୍ ଜାରି ରହିଥିଲା।

ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ସେମାନଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି। ପ୍ରାଥମିକ ତଦନ୍ତରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଓ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ