ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସର ବିକ୍ଷୋଭ; ମୋଦୀ ଓ ଅମିତ ଶାହଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ଆହୁରି ବଢ଼ିଛି। କକ୍ରୋଚ ଜନତା ପାର୍ଟି (CJP) ପକ୍ଷରୁ ସଂସଦ ଅଭିମୁଖେ ହୋଇଥିବା ବିକ୍ଷୋଭ ପରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଅଭିମୁଖେ ବିକ୍ଷୋଭ ରାଲି କରାଯାଇଥିଲା। ରାଜାଜୀ ମାର୍ଗସ୍ଥିତ ଖଡ଼ଗେଙ୍କ ବାସଭବନରୁ ଆରମ୍ଭ ହୋଇଥିବା ଏହି ରାଲି ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଅଗ୍ରସର ହୋଇଥିଲା।
ରାହୁଲ ଗାନ୍ଧୀ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରତି ହୋଇଥିବା କଥିତ ପୋଲିସ କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ। ସେ ସୋସିଆଲ ମିଡିଆରେ କହିଥିଲେ ଯେ, “ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର | ଏ ପ୍ରସଙ୍ଗରେ ନା କୌଣସି ଜବାବ ଦେଉଛନ୍ତି, ନା ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।” ସେହିପରି ଗତକାଲି ବିକ୍ଷୋଭରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିଛି।
ଅନ୍ୟପଟେ, ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିଥିଲାବେଳେ ଅନେକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି । ବିଜେପି ପକ୍ଷରୁ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇବାର ଅଭିଯୋଗ କରାଯାଇଥିବାବେଳେ, କଂଗ୍ରେସ ନେତାମାନେ କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଥିଲା। ସୋମବାର CJP ପକ୍ଷରୁ ଆୟୋଜିତ ବିକ୍ଷୋଭ ସମୟରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାରୁ ଏହି ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଆହୁରି ସରଗରମ ହୋଇଛି।

