Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NEET ପ୍ରସଙ୍ଗରେ ସଂସଦରେ ଆଲୋଚନାକୁ ସରକାର ପ୍ରସ୍ତୁତ: କିରେନ ରିଜିଜୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ିଲା ବିରୋଧୀ

NEET ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶବ୍ୟାପୀ ବିବାଦ ଓ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ସଂସଦରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ଛାତ୍ରଛାତ୍ରୀ ଆମର ସର୍ବୋଚ୍ଚ ପ୍ରାଥମିକତା। NEET ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଗୃହରେ ବିସ୍ତୃତ ଆଲୋଚନା ହେଉ ବୋଲି ସରକାର ଚାହୁଁଛି।” ତେବେ ବିରୋଧୀ ଦଳ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ ମଧ୍ୟ ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ରହିଛନ୍ତି।

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସରକାରକୁ ଟାର୍ଗେଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଯୁବପିଢ଼ିର ପ୍ରସଙ୍ଗରେ କହୁଛନ୍ତି, କିନ୍ତୁ ସଂସଦ ଭିତରେ କାହିଁକି ବୟାନ ଦେଉନାହାନ୍ତି। ସେ ଦାବି କରିଛନ୍ତି ଯେ ଦିଲ୍ଲୀରେ ପ୍ରତିବାଦରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ବଳପ୍ରୟୋଗ କରିଛି ଏବଂ ସରକାରକୁ ଏହାର ଜବାବ ଦେବାକୁ ପଡ଼ିବ। କଂଗ୍ରେସ ନେତା ପବନ ଖେରା ମଧ୍ୟ କହିଛନ୍ତି, “ପ୍ରଥମେ ଦାୟିତ୍ୱ ନିର୍ଦ୍ଧାରଣ କରନ୍ତୁ, ତା’ପରେ ଆଲୋଚନା ହେବ। ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଇସ୍ତଫା ଦିଅନ୍ତୁ।” ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଓମ୍ ବିର୍ଲା ଆଲୋଚନା ଆରମ୍ଭ କରିପାରିନଥିଲେ ଏବଂ ଗୃହକୁ ମୁଲତବୀ କରିଥିଲେ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ NEET ଅନିୟମିତତାକୁ “ଗୁରୁତର ପାପ” ବୋଲି ବର୍ଣ୍ଣନା କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଥିବା କହିଛନ୍ତି। ସେ କହିଛନ୍ତି, ଏହା ଦଳୀୟ ରାଜନୀତିର ନୁହେଁ, ବରଂ ଜାତୀୟ ସ୍ୱାର୍ଥର ପ୍ରସଙ୍ଗ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ଅନ୍ୟାୟ ହେବା ଉଚିତ ନୁହେଁ। ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଧର୍ମେନ୍ଦ୍ର ପ୍ରଧାନ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଏହି ବିବାଦ ମଧ୍ୟରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଉପରେ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ସ୍ୱାର୍ଥରେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories