ଆମେରିକାରେ ଜେନେରିକ୍ ଔଷଧ ଉପରେ ୨୦୦% ପର୍ଯ୍ୟନ୍ତ ଶୁଳ୍କ ଘୋଷଣା; ଭାରତର ଫାର୍ମା ଶିଳ୍ପ ଉପରେ ପଡ଼ିପାରେ ବଡ଼ ପ୍ରଭାବ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ହେଉଥିବା ଜେନେରିକ୍ ଔଷଧ ଉପରେ ପର୍ଯ୍ୟାୟକ୍ରମେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ୨୦୨୬ ଅଗଷ୍ଟ ୧ରୁ ନୀତି କାର୍ଯ୍ୟକାରୀ ହେବ। ପ୍ରଥମ ଦୁଇ ବର୍ଷ ଜେନେରିକ୍ ଔଷଧ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ତୃତୀୟ ବର୍ଷରେ ଏହା ୧୦୦ ପ୍ରତିଶତ ଏବଂ ତା’ପରେ ୨୦୦ ପ୍ରତିଶତ କରାଯିବ। ଆମେରିକାରେ ଜେନେରିକ୍ ଔଷଧ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଟ୍ରମ୍ପ କହିଛନ୍ତି।
ଏହି ଘୋଷଣାର ସବୁଠାରୁ ବଡ଼ ପ୍ରଭାବ ଭାରତ ଉପରେ ପଡ଼ିପାରେ। ବିଶ୍ୱରେ “ଫାର୍ମାସି ଅଫ୍ ଦ ୱାର୍ଲ୍ଡ” ଭାବେ ପରିଚିତ ଭାରତ ଆମେରିକାକୁ ସର୍ବାଧିକ ଜେନେରିକ୍ ଔଷଧ ରପ୍ତାନି କରୁଛି। ଆମେରିକାରେ ବ୍ୟବହୃତ ଜେନେରିକ୍ ଔଷଧର ପ୍ରାୟ ୪୦ ପ୍ରତିଶତ ପରିମାଣ ଭାରତରୁ ଯାଉଥିବା ବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ଆମେରିକାକୁ ୯.୭ ବିଲିୟନ ଡଲାର ମୂଲ୍ୟର ଔଷଧ ରପ୍ତାନି କରିଥିଲା। ଏହା ଭାରତର ମୋଟ ଫାର୍ମା ରପ୍ତାନିର ପ୍ରାୟ ୩୮ ପ୍ରତିଶତ।
ତେବେ ଏହି ନୂଆ ଶୁଳ୍କ ବ୍ୟବସ୍ଥା ଭାରତୀୟ ଔଷଧ କମ୍ପାନିଗୁଡ଼ିକ ଉପରେ କେତେ ପ୍ରଭାବ ପକାଇବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରିରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିରେ ଜେନେରିକ୍ ଔଷଧ ଓ ସେଥିପାଇଁ ଆବଶ୍ୟକ ଉପାଦାନ ସମ୍ପର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲା। ଏପରି ସ୍ଥିତିରେ ଏହି ନୂଆ ଘୋଷଣାର ବାସ୍ତବ ପ୍ରଭାବ କିପରି ରହିବ, ସେନେଇ ଫାର୍ମା ଶିଳ୍ପ ଓ ବାଣିଜ୍ୟ ମହଲର ନଜର ରହିଛି।

