Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ୍ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗଠନ ହେବ ଫାଷ୍ଟ-ଟ୍ରାକ୍ କୋର୍ଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁନଃସ୍ଥାପନ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କରିଥିବା ପୋଷ୍ଟରେ ସେ କହିଛନ୍ତି ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍‌ ଭଳି ସମ୍ବେଦନଶୀଳ ମାମଲାର ଶୀଘ୍ର ବିଚାର ପାଇଁ ଏକ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ଏହାସହ ଦୋଷୀମାନଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ସ୍ୱତନ୍ତ୍ର କୋର୍ଟରେ ନିଟ୍ ପ୍ରଶ୍ନପତ୍ର ଲିକ୍‌ ସମ୍ବନ୍ଧୀୟ ମାମଲାର ତ୍ୱରିତ ଶୁଣାଣି କରାଯିବ। ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ଦ୍ରୁତ କରାଯିବ, ଯାହାଦ୍ୱାରା ମାମଲାର ସଂଧାନ ପାଇଁ ଆଉ ବର୍ଷ ବର୍ଷ ସମୟ ଲାଗିବ ନାହିଁ | ଏହାଦ୍ୱାରା ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଯେଉଁମାନେ ଖେଳ ଖେଳିଛନ୍ତି, ସେମାନଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ ବୋଲି ମୋଦୀ ଦୃଢ଼ ମତ ପ୍ରକାଶ କରିଛନ୍ତି।

ଦେଶବ୍ୟାପୀ ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଉଦ୍ବେଗ ବଢ଼ିଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ପରୀକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ଜବାବଦେହିତା ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି । ତେବେ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ, ଏହାର କାର୍ଯ୍ୟପ୍ରଣାଳୀ ଏବଂ କାର୍ଯ୍ୟକାରୀ ହେବାର ସମୟସୀମା ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିସ୍ତୃତ ସୂଚନା ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ