‘ସୋସିଆଲ ମିଡିଆରେ ଫେମସ୍ ହେବା ପଛରେ ଦୌଡ଼ନି’, ଯୁବ ଓକିଲଙ୍କୁ CJI ସୂର୍ଯ୍ୟକାନ୍ତଙ୍କ ପରାମର୍ଶ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକପ୍ରିୟ ହେବାଠାରୁ ଜ୍ଞାନ, ପ୍ରସ୍ତୁତି ଏବଂ ବ୍ୟବସାୟିକ ସତତାକୁ ଅଧିକ ଗୁରୁତ୍ୱ ଦେବାକୁ ଯୁବ ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ। ୨୦୨୪-୨୫ ବ୍ୟାଚ୍ର ନୂତନ ଆଡଭୋକେଟ୍ସ-ଅନ୍-ରିକର୍ଡ (AOR)ଙ୍କ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ସେ କହିଛନ୍ତି, ଆଜିକାଲି ସୋସିଆଲ ମିଡିଆରେ ଫେମସ୍ ହେବା ସହଜ, କିନ୍ତୁ ଲୋକପ୍ରିୟତା ଏବଂ ବିଶ୍ୱସନୀୟତା କେବେ ବି ସମାନ ନୁହେଁ। ଜଣେ ଓକିଲଙ୍କ ସଫଳତାର ମାପଦଣ୍ଡ ସୋସିଆଲ ମିଡିଆର ପ୍ରସିଦ୍ଧି ନୁହେଁ, ବରଂ ତାଙ୍କ କାର୍ଯ୍ୟଦକ୍ଷତା ଓ ନୈତିକତା ହେବା ଉଚିତ।
ସିଜେଆଇ କହିଛନ୍ତି, ଓକିଲମାନଙ୍କ ଲକ୍ଷ୍ୟ ହେଉଛି ଅଦାଲତ, ସହକର୍ମୀ, ମହକିଲ ଏବଂ ବାର୍ ମଧ୍ୟରେ ନିଜର ଜ୍ଞାନ, ପ୍ରସ୍ତୁତି ଓ ବ୍ୟବସାୟିକ ଆଚରଣ ଦ୍ୱାରା ସମ୍ମାନ ଅର୍ଜନ କରିବା। ସେ ୨୦୭ ଜଣ ନବନିଯୁକ୍ତ AORଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସେମାନେ ଦେଶର ସର୍ବୋଚ୍ଚ ନ୍ୟାୟିକ ବ୍ୟବସ୍ଥାର ଏକ ଗରିମାମୟ ସଂସ୍ଥାର ଅଂଶ ହୋଇଛନ୍ତି। ଏହି ଦାୟିତ୍ୱ କେବଳ ମାମଲା ପରିଚାଳନାରେ ସୀମିତ ନୁହେଁ, ବରଂ ସୁପ୍ରିମକୋର୍ଟର ପରମ୍ପରା ଓ ନ୍ୟାୟ ପ୍ରଶାସନର ଗରିମା ବଜାୟ ରଖିବା ସହ ଜଡ଼ିତ।
ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି, କୌଣସି ଉପାଧି କିମ୍ବା ପଦବୀ ଜଣେ ବ୍ୟକ୍ତିଙ୍କ କ୍ୟାରିୟର ଗଢ଼ି ଦେଇନଥାଏ। ପ୍ରକୃତ ପରିଚୟ ମିଳେ କାମର ଗୁଣବତ୍ତା, ନିରନ୍ତର ପରିଶ୍ରମ ଏବଂ ଆଇନଗତ ଦକ୍ଷତା ଦ୍ୱାରା। ସେ ଯୁବ ଓକିଲମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଆସୁଥିବା ଆକର୍ଷଣ ଓ ବିଭ୍ରାନ୍ତିରୁ ଦୂରେ ରୁହନ୍ତୁ। ଏପରି କାମ କରନ୍ତୁ ଯେ, କୌଣସି ମାମଲାର ଫାଇଲ୍ରେ ଆପଣଙ୍କ ନାମ ଦେଖିବା ମାତ୍ରେ ଅଦାଲତଙ୍କର ବିଶ୍ୱାସ ହେଉ ଯେ ସେଠାରେ ଜଣେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ଦକ୍ଷ ଓକିଲ ଉପସ୍ଥିତ ଅଛନ୍ତି।

