Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ଅଟକାଇବାକୁ ପ୍ରଥମେ କେତନଙ୍କୁ ଆହତ କରିବା ଯୋଜନା! ପରେ ପ୍ରେମିକ ସହ ମିଶି ହତ୍ୟା ପ୍ଲାନ୍ ରଚିଲେ ସିୟା

ମୁମ୍ବାଇ:ମହାରାଷ୍ଟ୍ରର ପୁଣେରେ ଘଟିଥିବା ଲୋହାଗଡ଼ ଦୁର୍ଗ ହତ୍ୟାକାଣ୍ଡକୁ ନେଇ ପୁଲିସ ତଦନ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦ ବର୍ଷୀୟା ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ପ୍ରଥମେ ସିୟାଙ୍କ ମଙ୍ଗେତର କେତନ ଅଗ୍ରୱାଲଙ୍କୁ କେବଳ ଆହତ କରି ବିବାହକୁ ପଛକୁ ଘୁଞ୍ଚାଇବା ପାଇଁ ଯୋଜନା କରିଥିଲେ। ମାତ୍ର ସେହି ଯୋଜନାକୁ ବିପଦପୂର୍ଣ୍ଣ ବୋଲି ଭାବି ଶେଷରେ ତାଙ୍କୁ ହତ୍ୟା କରିବାକୁ ଦୁହେଁ ନିଷ୍ପତ୍ତି ନେଇଥିବା ପୁଲିସ କହିଛି। ଗତ ଜୁନ୍ ୧୮ରେ ପୁଣେ ନିକଟସ୍ଥ ଲୋହାଗଡ଼ ଦୁର୍ଗରୁ କେତନଙ୍କୁ ଏକ ଗଭୀର ଖାଇକୁ ଠେଲି ଦିଆଯାଇଥିଲା।

ପୁଲିସ ତଦନ୍ତ ଅନୁଯାୟୀ, ସିୟା ନିଜ ପରିବାର କିମ୍ବା କେତନଙ୍କ ପରିବାରକୁ ଲଜ୍ଜିତ କରିବାକୁ ଚାହୁଁନଥିବାରୁ ପଳାଇ ବିବାହ କରିବାକୁ ଇଚ୍ଛୁକ ନଥିଲେ। ସେଥିପାଇଁ ପ୍ରଥମେ କେତନଙ୍କୁ ଦୁର୍ଘଟଣା ଭଳି ଦେଖାଇ ଆହତ କରି ବିବାହ ବିଳମ୍ବ କରିବାର ଯୋଜନା କରାଯାଇଥିଲା। କିନ୍ତୁ ସେହି ଯୋଜନା ବିଫଳ ହେବା ପରେ ଦୁହେଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ପୁଲିସ କହିଛି, ଦୁହେଁ ଇଣ୍ଟରନେଟ୍‌ରେ ହତ୍ୟାର ବିଭିନ୍ନ ଉପାୟ ଖୋଜିବା ସହ ସସ୍ପେନ୍ସ ଫିଲ୍ମ ମଧ୍ୟ ଦେଖିଥିଲେ। ଶେଷରେ ପାହାଡ଼ ଉପରୁ ଠେଲି ଦେଲେ ଏହାକୁ ଦୁର୍ଘଟଣା ବୋଲି ଦେଖାଇବା ସହଜ ହେବ ବୋଲି ନିଷ୍ପତ୍ତି ନେଇଥିଲେ।

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଯୁଗଳ ଟାଇଗର ପଏଣ୍ଟ, ବିଶାପୁର ଦୁର୍ଗ ସମେତ ଅନେକ ସ୍ଥାନ ପରିଦର୍ଶନ କରି ଶେଷରେ ଲୋହାଗଡ଼ ଦୁର୍ଗକୁ ହତ୍ୟା ପାଇଁ ବାଛିଥିଲେ। ପୁଲିସର ସନ୍ଦେହ ଅନୁସାରେ, ଜୁନ୍ ୧୪ରେ ମଧ୍ୟ ସିୟା କେତନଙ୍କୁ ସେହି ସ୍ଥାନରେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ କେତନ ଏକ ବୁଦାକୁ ଧରି ଜୀବନ ବଞ୍ଚାଇଥିବା ବେଳେ ସିୟା ସାପଠାରୁ ବଞ୍ଚାଇବା ପାଇଁ ଠେଲି ଦେଇଥିବା କାହାଣୀ କହି ସନ୍ଦେହକୁ ଏଡ଼ାଇଥିଲେ। ବର୍ତ୍ତମାନ ସିୟା ଗୋୟଲ ଓ ଚେତନ ଚୌଧୁରୀ ନ୍ୟାୟିକ ହାଜତରେ ଥିବା ବେଳେ ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories